ଦିଗପହଣ୍ଡି,୨୫|୭ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ଙ୍କ ପବିତ୍ର ଜନ୍ମତ୍ସୋବ ଶନିବାର ପାଳିତ ହୋଇଯାଇଛି। ଦିଗପହଣ୍ଡି ସହର ଉପକଣ୍ଠ ଘୋଡାହାଡ ଡ୍ଯାମ ରାସ୍ତା ଛକରେ ସ୍ଥାପିତ ହୋଇଥିବା ସନ୍ଥ ଅରକ୍ଷିତ ଦାସଙ୍କ ପ୍ରତିମୂର୍ତ୍ତି ରେ ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତିବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ଆୟୋଜିତ ଆଲୋଚନା ସଭାରେ ଆଇନଜୀବି କୁରେଶୁ ପଣ୍ଡା ସଭାପତିତ୍ବ କରିଥିଲେ।ବଡଖେମୁଣ୍ଡି ରାଜ ପରିବାରର ସଦସ୍ୟ ସିଦ୍ଧାନ୍ତ ଗଙ୍ଗଦେବ , ଏନଏସି ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା, ଐତିହାସିକ ଡ଼. ଅନନ୍ତରାମ କର, ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ, ଆଇନଜୀବି ଅଶେଷ ନାଥ ମିଶ୍ର, ହରପ୍ରସାଦ ରଥ, ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ର ସମ୍ପାଦକ ଆଲୋକ ବିଷୋୟୀ ପ୍ରମୁଖ ସନ୍ଥ ଅରକ୍ଷିତ ଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ତତ୍କାଳୀନ ବଡଖେମୁଣ୍ଡି ରାଜ୍ୟର ବିଜୟ ନଗର ଗଡରେ ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ରେ ଜନ୍ମିତ ବଡ଼ ଖେମୁଣ୍ଡି ରାଜପୁତ୍ର ବୀରଭଦ୍ର ଦେବ ପରବର୍ତ୍ତୀ ଅବସ୍ଥାରେ ସନ୍ଥ ଅରକ୍ଷିତ ଦାସ ନାମରେ ପରିଚିତ ହୋଇ ଅବିଭକ୍ତ କଟକ ଜିଲା କେନ୍ଦ୍ରାପଡ଼ା ର ଓଳାଶୁଣି ଗୁମ୍ଫା ରେ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଜନ୍ମ ମାଟିରେ ଅନାଲୋଚିତ ରହିବା ଦୁର୍ଭାଗ୍ୟର ବିଷୟ ବୋଲି ଆଲୋଚନା ବେଳେ ମତ ପ୍ରକାଶ ପାଇଥିଲା।ସନ୍ଥଙ୍କ ଜୀବନାଦର୍ଶ ଓ ତାଙ୍କ ରଚିତ ଶାକ୍ୟ ସଂହିତା, ମହୀମଣ୍ଡଳ ଗୀତା ଭଳି ଅନେକ ଗ୍ରନ୍ଥ, ରଚନାବଳୀ ର ଅଧିକ ପ୍ରଚାର ପ୍ରସାର କରାଯାଇ ପାରିଲେ ସମାଜରେ ଏହାର ସକାରାତ୍ମକ ପ୍ରଭାବ ପଡିବା ସହ ତାଙ୍କ ଜନ୍ମମାଟି ତତ୍କାଳୀନ ବଡ଼ଖେମୁଣ୍ଡି ବା ବର୍ତ୍ତମାନର ଦିଗପହଣ୍ଡି ମାଟି ଅଧିକ ପବିତ୍ର ହୋଇପାରିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସ ବସଷ୍ଟାଣ୍ଡ ରେ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏନଏସି ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ସଭାରେ କହିଥିଲେ।ସାମାଜିକ କର୍ମୀ ନୀଳକଣ୍ଠ ପଟ୍ଟନାୟକ, ମିଲନ ପାଣିଗ୍ରାହୀ, ପିଙ୍କୁ ଘଡେଇ, ମୁନା ବିଷୋୟୀ,ଚନ୍ଦନ ପଣ୍ଡା, ବିନୋଦ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।