ପାଣି ଭିତରେ ମେଟ୍ରୋ ଟ୍ରେନ୍‌ର ମଜା ନେଲେ ସାଇକୃଷ୍ଣ

ଯାଜପୁର ଅଫିସ,୨୬ା୫: ପାଣି ଆଉ ମାଟି ତଳେ ଚାଲୁଛି ମେଟ୍ରୋ ଟ୍ରେନ। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ହେଲେ ଏହାର ମଜା ଉଠାଇଛନ୍ତି ଯାଜପୁର ଜିଲା ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟର ୩ୟ ଶ୍ରେଣୀର ଛାତ୍ର ସାଇକୃଷ୍ଣ ମଲ୍ଲିକ। କୋଲକାତା ହୁଗୁଳି ନଦୀ ତଳେ ଟନେଲରେ ମେଟ୍ରୋ ଟ୍ରେନ ଚାଲିବା ଭାରତରେ ପ୍ରଥମ। ଗତ ୧୯ ତାରିଖରେ ହାୱାଡା ମଇଦାନରୁ ଟ୍ରାଏଲ ରନରେ ଏହି ମେଟ୍ରୋ ଟ୍ରେନ ଯାତ୍ରା କରିଥିଲା। ଏଥିରେ ସାଇକୃଷ୍ଣ ଯାତ୍ରା କରି ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କର ଏଭଳି ସାହାସ ପାଇଁ ସମସ୍ତେ ସାବାସୀ ଦେଇଥିଲେ । ବନ୍ଦେ ଭାରତ ଟ୍ରେନରେ ବସି କୋଲକାତା ଯିବା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇବା ଏବଂ ସେଠାରେ ନଦୀ ତଳେ କିପରି ମେଟ୍ରୋ ଟ୍ରେନ ଯାଉଛି, ତାହା ଦେଖିବାର ସୁଯୋଗ ପାଇବା ଭଳି ଅନେକ ଆଶା ସାଇକୃଷ୍ଣଙ୍କ କୋମଳ ମନକୁ ଆନ୍ଦୋଳିତ କରିଥିଲା। ପ୍ରଥମ ଥର ପାଇଁ ସେ ହୁଗୁଳି ନଦୀ ତଳେ ଟନେଲରେ ରେଳଯାତ୍ରା କରିବାର ସୁଯୋଗ ପାଇଥିଲା l
କୋଲକାତାରେ ଖୁବଶୀଘ୍ର ରିଭର ପାସିଂ ମେଟ୍ରୋ ଟ୍ରେନ୍‌ ଲୋକାର୍ପିତ ହେବାକୁ ଯାଉଛି ବୋଲି ସୂଚନା ମିଳିଛି। ହୁଗୁଳି ନଦୀର ତଳେ ଟନେଲ ଭିତର ଦେଇ ଏହା ଅତିକ୍ରମ କରିବ । ପ୍ରଥମ ପର୍ଯ୍ୟାୟରେ ଏହା ୧୬ କି.ମି. ରାସ୍ତା ଅତିକ୍ରମ କରିବାକୁ ଥିବାବେଳେ ୫୨୦ମିଟର ଦୀର୍ଘ ନଦୀଗର୍ଭ ତଳେ ଦୁଃସାଧ୍ୟ ଟନେଲକୁ ଅତିକ୍ରମ କରିବ। ଅବଶିଷ୍ଟ ଭାଗ ମାଟି ତଳେ ରହିଛି । ପ୍ରଥମ କରି ଏହାର ଟ୍ରାଏଲ ରନରେ ନଦୀ ତଳେ ଓଡିଶା ଓ ପଶ୍ଚିମବଙ୍ଗ ସମେତ ଜାତୀୟ ଗଣମାଧ୍ୟମ, ୱେବ ଚ୍ୟାନେଲ ଓ ୟୁଟୁବରର ପ୍ରତିନିଧିମାନେ ଯାତ୍ରା କରିବାର ସୁଯୋଗ ପାଇଥିଲେ । ଏଥିରେ ୧୪୪ଜଣ ପ୍ରତିନିଧି ଏବଂ ରେଳବିଭାଗର ଯନ୍ତ୍ରୀ, ଅଧିକାରୀ, କର୍ମଚାରୀ, ରେଳ ସୁରକ୍ଷା ବଳର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ନେଇ ଏହି ଟ୍ରେନ ଯାତ୍ରା ଆରମ୍ଭ କରିଥିଲା। ଉପରୋକ୍ତ ଅଧିକାରୀମାନେ ପ୍ରଥମେ ବନ୍ଦେ ଭାରତ ଟ୍ରେନରେ ଯାଇ କୋଲକାତାରେ ପହଞ୍ଚିଥିଲେ। ରେଳ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନ ତଥା ମିଳିତ ସହଯୋଗରେ ସମସ୍ତ ଆୟୋଜନ କରାଯାଇଥିଲା। ଏଥିରେ ସର୍ବକନିଷ୍ଠ ଭାବେ ସାଇକୃଷ୍ଣ ସାମିଲ ହୋଇ ଥିଲେ।