‘ସାଇଗାୟତ୍ରୀ ମାକ୍ରୋ ସ୍କାଏକ୍ରାପର’ ଚିଟ୍‌ଫଣ୍ଡ ସମ୍ପତ୍ତି ବାଜ୍ୟାପ୍ତି

ବାଲେଶ୍ୱର ଅଫିସ, ୪ା୪: ଚିଟ୍‌ଫଣ୍ଡ ଠକେଇ ମାମଲାର ବିଚାର କରି ସୋମବାର ବାଲେଶ୍ୱର ସ୍ବତନ୍ତ୍ର ଓଡ଼ିଶା ପ୍ରୋଟେକ୍ସନ୍‌ ଇଣ୍ଟରେଷ୍ଟ ଅଫ୍‌ ଇନ୍‌ଭେଷ୍ଟର୍ସ ଡିପୋଜିଟର (ଓପିଆଇଡି) କୋର୍ଟ ଜଜ୍‌ ବିଶ୍ୱଜିତ ଦାସ ସାଇଗାୟତ୍ରୀ ମାକ୍ରୋ ସ୍କାଏକ୍ରାପର ଇଣ୍ଡିଆ ଲିମିଟେଡ଼ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି କରିଛନ୍ତି। ଏହି କମ୍ପାନୀର ମୁଖ୍ୟ ଅଫିସ୍‌ ପଶ୍ଚିମବଙ୍ଗ ରାଜ୍ୟ ବେହେଲା ଥାନା ବ୍ରଜେନ ମୁଖାର୍ଜୀ ରୋଡ୍‌ରେ ରହିଥିଲା। ଏହାର ଶାଖା କାର୍ଯ୍ୟାଳୟ ଭଦ୍ରକ ଜିଲା ମାଧବନଗର ସ୍ଥିତ ପୁରୁଷୋତ୍ତମ ବିହାର ବନ୍ତ ଛକରେ ଖୋଲାଯାଇଥିଲା। ବାଲେଶ୍ୱର ଜିଲା ସୋର ଥାନା ପାଖର ଗ୍ରାମର ଲକ୍ଷ୍ମୀକାନ୍ତ ପାଢ଼ୀ ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଲୋଭନୀୟ ସ୍କିମ୍‌ ଦେଖାଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍‌ କରିନେଇଥିଲେ। ଅଭିଯୋଗ ହେବା ପରେ ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ଥିଲା। ଉକ୍ତ ମାମଲାକୁ ବିଚାର କରି ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ନାମରେ ଥିବା ଭଦ୍ରକ ଆଚାର୍ଯ୍ୟ ନଗରସ୍ଥିତ ଆକ୍ସିସ୍‌ ବ୍ୟାଙ୍କ୍‌ ଖାତାରେ ଥିବା ୧୩୭୯ ଟଙ୍କା ୮୮ ପଇସା, ଅଭିଲିପ୍ସା ପ୍ରିୟଦର୍ଶନୀଙ୍କ ନାମରେ ଉକ୍ତ ବ୍ୟାଙ୍କ୍‌ ଖାତାରେ ଥିବା ୧୩୦୧ ଟଙ୍କା ୨ ପଇସା, ଅବନ୍ତୀଲତା ପାଢ଼ୀଙ୍କ ନାମରେ ଥିବା ଭୁବନେଶ୍ୱର ବରମୁଣ୍ଡାସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଖାତାରେ ଥିବା ୨୦ହଜାର ୪୯୬ଟଙ୍କା ୬୫ ପଇସା ଏବଂ ସାଇ ଗାୟତ୍ରୀ ମଲ୍ଟି ଷ୍ଟେଟ୍‌ କୋ-ଅପରେଟିଭ୍‌ ସୋସାଇଟି ନାମରେ ଉକ୍ତ ବ୍ୟାଙ୍କ ଖାତାରେ ଥିବା ୧୪ହଜାର ୨୦୩ଟଙ୍କା ୬୯ ପଇସା ମୋଟ୍‌ ୩୭ ହଜାର ୩୮୧ଟଙ୍କା ୨୪ ପଇସାକୁ ଫ୍ରିଜ୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସଂସ୍ଥା ଓ ସଂସ୍ଥାର ନିର୍ଦ୍ଦେଶକମାନଙ୍କ ନାମରେ ଥିବା ବାଲେଶ୍ୱର ଓ ଭଦ୍ରକ ଜିଲାର ୫ ଏକର ୩୬ ଡିସିମିଲ ଜମିକୁ ବାଜ୍ୟାପ୍ତି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ।