ଏବେବି ଅମୃତାଙ୍କୁ ମନେପକାନ୍ତି ସୈଫ

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲି ଖାଁ ଖୁବ୍ ନିକଟରେ ପୁଣିଥରେ ପିତା ହେବାକୁ ଯାଉଛନ୍ତି । ଏହାକୁ ନେଇ ସେ ଏବେ ଚର୍ଚ୍ଚାରେ । ଇତିମଧ୍ୟରେ ନିକଟରେ ସେ ଏକ ସାକ୍ଷାତ୍‌କାରରେ ତାଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେତେବେଳେ ମାତ୍ର ୨୦ ବର୍ଷ ବୟସରେ ସେ ଘରୁ ଚାଲିଆସି ଅମୃତାଙ୍କୁ ବିବାହ କରିଥିଲେ ସେତେବେଳେ ସମୟ ଥିଲା ତାଙ୍କ ପାଇଁ ଖୁବ୍ ଜଟିଳ । ହେଲେ ଅମୃତାଙ୍କ ସହଯୋଗ ତାଙ୍କୁ କ୍ୟାରିୟରରେ ଆଗକୁ ବଢିବାରେ ବେଶ୍ ସହାୟକ ହୋଇଛି । ଅମୃତା ସବୁବେଳେ ତାଙ୍କୁ କ୍ୟାରିୟର ଉପରେ ନଜର ଦେବାକୁ କହି ଆସୁଥିବା ବେଳେ ଆଜି ସେ ଯେଉଁଠିବି ପହଞ୍ଚିଛନ୍ତି କେବଳ ଅମୃତାଙ୍କ ଯୋଗୁ ବୋଲି ସୈଫ କହିଛନ୍ତି । କାରଣ ସେତେବେଳେ ଅମୃତା ତାଙ୍କୁ କହିଥିଲେ ନିଜର କାମ ଉପରେ ସବୁବେଳେ ଧ୍ୟାନ ଦିଅ ଆଗକୁ ନିଶ୍ଚୟ ବଢିବ । ଆଉ ଆଜି ଏହା ସମ୍ଭବ ହୋଇଛି । ଅମୃତାଙ୍କୁ ବିବାହ କରିବା ପରେ ଏମାନଙ୍କର ଦୁଇଟି ସନ୍ତାନ ସାରା ଅଲି ଖାଁ ଓ ଇବ୍ରାହିମ ଜନ୍ମ ନେଇଥିଲେ । ୧୯୯୧ରେ ଏମାନେ ବିବାହ କରିଥିବା ବେଳେ ଏହା କିନ୍ତୁ ବେଶିଦିନ ତିଷ୍ଠି ପାରି ନ ଥିଲା । ୨୦୦୪ରେ ଏମାନେ ଅଲଗା ହୋଇଯାଇଥିଲେ । ପିଲା ଦୁଇଜଣ ଏବେ ଅମୃତାଙ୍କ ପାଖରେ ଥିଲା ବେଳେ ସୈଫ ପୁଣିଥରେ ମନ ଦେଇ ବସିଥିଲେ ବଲିଉଡ୍ ବେବୋ କରିନା କପୁରଙ୍କୁ । ୨୦୧୨ରେ ସେ କରିନାଙ୍କୁ ବିବାହ କରିବା ପରେ ଏବେ ତାଙ୍କର ଏକ ପୁତ୍ର ସନ୍ତାନ(ତୈମୁର) ରହିଛି ଓ କରିନା ପୁଣିଥରେ ମା’ ହେବାକୁ ଯାଉଛନ୍ତି । ସୈଫ ସିନା ବିବାହ କଲେ ହେଲେ ଅମୃତା ଆଜିବି ଏକେଲା ରହି ଯାଇଛନ୍ତି । ପିଲା ଦୁହିଁଙ୍କ ସହ ସମୟ କାଟୁଛନ୍ତି ଅମୃତା । ତେବେ ସାରା ଓ ଇବ୍ରାହିମଙ୍କୁ ଆଜିକି ସେତିକି ଶ୍ରଦ୍ଧା କରନ୍ତି ସୈଫ । ସାରା ବିଲିଉଡରେ ପାଦ ରଖି ସାରିଥିବା ବେଳେ ପାଠପଢାରେ ବ୍ୟସ୍ତ ଅଛନ୍ତି ଇବ୍ରାହିମ୍ ।

Share