Categories: ଜାତୀୟ

ଗିରଫର ୮ ବର୍ଷ ପରେ ସାଇବାବା ଦୋଷମୁକ୍ତ

ନାଗପୁର/ନୂଆଦିଲ୍ଲୀ,୧୫।୧୦: ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଗିରଫ ହେବାର ୮ ବର୍ଷ ପରେ ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍‌. ସାଇବାବାଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ୫୨ ବର୍ଷୀୟ ସାଇବାବାଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଗିରଫ କରିବା ଅବୈଧ। ତେଣୁ ତାଙ୍କୁ ଖଲାସ କରାଯାଉ ବୋଲି ହାଇକୋର୍ଟ ନାଗପୁର କେନ୍ଦ୍ରୀୟ କାରାଗାରକୁ ନିର୍ଦ୍ଦେଶ ଦେଇଛନ୍ତି।
ବିରୋଧରେ ଯୁଦ୍ଧ ସକାଶେ ମାଓବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ସାଇବାବାଙ୍କୁ ୨୦୧୪ ଫେବୃୟାରୀରେ ଗିରଫ କରାଯାଇଥିଲା। ୨୦୧୭ ମାର୍ଚ୍ଚରେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲା କୋର୍ଟ ଏହି ମାମଲାରେ ସାଇବାବା ଓ ଜବାହରଲାଲ ନେହେରୁ ୟୁନିଭର୍ସିଟିର (ଜେଏନ୍‌ୟୁ)ର ଜଣେ ଛାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ସାଇବାବା ଏହାକୁ ବମ୍ବେ ହାଇକୋର୍ଟଙ୍କ ନାଗପୁର ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍‌ ରୋହିତ ଦେଓ ଏବଂ ଅନିଲ ପାନ୍‌ସରେଙ୍କ ଖଣ୍ଡପୀଠ ସାଇବାବାଙ୍କ ଅପିଲ ପିଟିଶନର ଶୁଣାଣି କରି ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମହାରାଷ୍ଟ୍ର ସରକାର ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠରେ ତ୍ୱରିତ ଶୁଣାଣି କରାଯାଉ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅନୁରୋଧ କରିଛନ୍ତି। ପୋଲିସଜନିକ ପାରାଲେସିସ୍‌ଗ୍ରସ୍ତ ସାଇବାବା ହ୍ବିଲଚେୟାର ଉପରେ ନିର୍ଭରଶୀଳ।

Share