ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର ସହିତ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି । ପିତା ଗୋବିନ୍ଦ ଚନ୍ଦ୍ର ପ୍ରଧାନ (ଶିକ୍ଷକ) ଓ ମାତା ସ୍ବର୍ଣ୍ଣଲତା ବିଶ୍ୱାଳ (ଶିକ୍ଷୟିତ୍ରୀ)ଙ୍କ ବଡ଼ପୁଅ ସାଇ ସୋହମ ପ୍ରଧାନ ସତ୍ୟବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀ ଅଧ୍ୟୟନ କରୁଥିବା ସମୟରେ ୨୦୨୨ରେ ଆସାମର ଗୌହାଟୀ ଠାରେ ଆୟୋଜିତ ଜାତୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରି ସଫଳତା ଲାଭ କରିଥିଲେ ।
୨୦୨୪ରେ ସିବିଏସଇ. ଦଶମ ବୋର୍ଡ ପରୀକ୍ଷାରେ ୯୯ ଶତକଡା ନମ୍ବର ରଖି ଓଡ଼ିଶା ଟପ୍ପର ହୋଇଥିଲେ । ୨୦୨୫ ଅଗଷ୍ଟରେ ଜାପାନ ଠାରେ ଆୟୋଜିତ ସାକୁରା ହାଇସ୍କୁଲ ବିଜ୍ଞାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲେ । ୨୦୨୬ ମସିହାରେ ନାଇଜର୍ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସର୍ବଭାରତୀୟ ସ୍ତରରେ ୨୮୨ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଥିଲେ । ୨୦୨୬ ମସିହାରେ ସିବିଏସଇ +୨ ବିଜ୍ଞାନ ବୋର୍ଡ ପରୀକ୍ଷାରେ ଶତକଡା ୯୭.୮ ନମ୍ବର ହାସଲ କରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଟପର ହୋଇ ସତ୍ୟବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ । ୨୦୨୬ରେ ପ୍ରଥମ ଥର ନିଟ୍ ପ୍ରବେଶିକା ପରୀକ୍ଷା ଦେଇ ସଫଳତାର ସହ କୃତିତ୍ୱ ହାସଲ କରିଥିବାରୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ, ଆତ୍ମୀୟ ସ୍ବଜନ ତଥା ଅଞ୍ଚଳବାସୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।