ଏଥର କିଛି କହିବା ପୂର୍ବରୁ ଦୁଇଥର ଭାବିବି: ସାଇ ପଲ୍ଲବୀ

ହାଇଦ୍ରାବାଦ: ବିବାଦ ପରେ ସ୍ପଷ୍ଟୀକରଣ। କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ ସାଇ ପଲ୍ଲବୀ। ସେ ତାଙ୍କ ଆଗାମୀ ଫିଲ୍ମ ‘ବିରାଟ ପର୍ବମ’ର ପ୍ରମୋଶନ ବେଳେ କହିଥିବା କଥାକୁ ନେଇ ବିବାଦରେ ଫସିଛନ୍ତି। ଏକ ସାକ୍ଷାତକାରରେ ପଲ୍ଲବୀ କଶ୍ମୀର ପଣ୍ଡିତକୁ ନେଇ ବୟାନ ଦେଇଥିଲେ। ସେ ଭିଡ ହିଂସା ଓ କଶ୍ମୀର ଗଣହତ୍ୟା ଘଟଣାକୁ ସମାନ କହିଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏହି ବୟାନ ଲାଗି ତାଙ୍କୁ ବିରୋଧ କରାଯାଉଛି। ଅଭିନେତ୍ରୀଙ୍କ ବିରୋଧରେ ପୋଲିସରେ ମାମଲା ମଧ୍ୟ ରୁଜୁ ହୋଇଛି। ଶେଷରେ ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସେ।

ପଲ୍ଲବୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସେ ଯାହା କହିବାକୁ ଚାହୁଁଥିଲେ ତାହା ଲୋକଙ୍କ ଆଖରେ ରଖା ନ ଯାଇ, ଉକ୍ତ ବୟାନକୁ ଭୁଲ ରୂପେ ସମସ୍ତଙ୍କ ଆଖରେ ରଖାଯାଇଛି। ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସା ପାପ ବୋଲି ମୁଁ କହିବାକୁ ଚାହୁଁଥିଲି। ମୋର ଉଦ୍ଦେଶ୍ୟ ଏହା ହିଁ ଥିଲା। ହେଲେ ମୋ ସାକ୍ଷାତକାରର ଗୋଟିଏ ଛୋଟ କ୍ଲିପ୍‌କୁ ନେଇ ଭୁଲ ତଥ୍ୟ ଦିଆଯାଇଛି। ଭାଇରାଲ ହେଉଥିବା ଭିଡିଓରେ ମୂଳ ପ୍ରସଙ୍ଗକୁ ହଟାଇ ଦିଆଯାଇଛି।

ଏହାଛଡ଼ା କଶ୍ମୀର ଫାଇଲ୍ସ ଫିଲ୍ମକୁ ଦେଖିବା ପରେ ମୁଁ ନିର୍ଦ୍ଦେଶକଙ୍କ ସହ କଥା ହେବାର ସୁଯୋଗ ପାଇଲି। ବର୍ଷ ବର୍ଷ ଧରି ଲୋକମାନେ ସମାନ ପରିସ୍ଥିତି ଭୋଗୁଥିବା ନେଇ ଚିନ୍ତା ପ୍ରକଟ କରିଥିଲି। ତେବେ ଗଣହତ୍ୟା ଭଳି ଘଟଣାକୁ ମୁଁ ସାମାନ୍ୟ ଘଟଣା କହିନାହିଁ। ସାକ୍ଷାତକାରରେ କୁହାଯାଇଥିବା କଥାକୁ ଭୁଲ ପରିବେଷଣ କରାଯାଇଛି। ମୁଁ ନା ବାମପନ୍ଥୀ ନା ଦକ୍ଷିଣପନ୍ଥୀ, କାହାକୁ ବି ସମର୍ଥନ ଦେଇନାହିଁ। ସବୁବେଳେ ନିରପେକ୍ଷ ରହିଛି। ଧର୍ମ ନାଁରେ ହେଉଥିବା ପ୍ରତ୍ୟେକ ହିଂସା ଅପରାଧ ବୋଲି କହିବା ମୋର ଉଦ୍ଦେଶ୍ୟ ଥିଲା। ତେବେ ଏହାକୁ ଭୁଲ ଭାବରେ ନେବା ପରେ ମୋତେ ଗଭୀର ଦୁଃଖ ଲାଗିଛି। ଏଥର ହୃଦୟରୁ କହିବା ପୂର୍ବରୁ ଦୁଇ ଥର ଭାବିବି। ନଚେତ ତାକୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି। ଏଥିସହ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

 

Share