ମୁମ୍ବାଇ: ନୀତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ମହାଗାଥା ‘ରାମାୟଣ: ରାଇଜ ଅଫ ଏ ଲିଜେଣ୍ଡ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି। ଭଗବାନ ରାମଙ୍କ ଭୂମିକାରେ ରଣବୀର କପୁର, ମାତା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ ଏବଂ ରାବଣ ଭୂମିକାରେ ୟଶଙ୍କ ଅଭିନୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫିଲ୍ମର ଦ୍ୱିତୀୟ ଟ୍ରେଲର ପରେ ଏବେ ନୂଆ ବିହାଇଣ୍ଡ ଦି ସିନ୍ସ (BTS) ଭିଡିଓ ଦର୍ଶକଙ୍କ ଆଗ୍ରହକୁ ଆହୁରି ବଢ଼ାଇଛି।
ଫିଲ୍ମର ନୂଆ BTS ଭିଡିଓରେ ସାଇ ପଲ୍ଲବୀଙ୍କୁ ସୀତାଙ୍କ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଏଥିରେ ସେ ଯୋଦ୍ଧା ରୂପରେ ରାକ୍ଷସମାନଙ୍କ ସହ ଲଢ଼ୁଥିବା ଦୃଶ୍ୟ ରହିଛି। ଏହି ଝଲକ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ନୂଆ ଉତ୍ସୁକତା ସୃଷ୍ଟି କରିଛି।
ଭିଡିଓରେ ଭଗବାନ ରାମଙ୍କ ଭୂମିକାରେ ରଣବୀର କପୁରଙ୍କୁ ସୂର୍ଯ୍ୟୋଦୟ ସମୟରେ ଏକ ପାହାଡ଼ ଉପରେ ଠିଆ ହୋଇଥିବାର ଦୃଶ୍ୟ ମଧ୍ୟ ରହିଛି। ସେହିପରି ୟଶଙ୍କ ରାବଣ ଅବତାରରେ ଭଗବାନ ଶିବଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସମ୍ମୁଖରେ ତାଣ୍ଡବ କରୁଥିବା ଦେଖିବାକୁ ମିଳିଛି।
ଫିଲ୍ମ ନିର୍ମାତାମାନେ ନିକଟରେ ଏହାର ଦ୍ୱିତୀୟ ଟ୍ରେଲରକୁ ଛଅଟି ଭାଷାରେ ଅନଲାଇନ୍ରେ ରିଲିଜ କରିଛନ୍ତି। ଏହାର ଗୋଟିଏ ଦିନ ପରେ ନୂଆ BTS ଭିଡିଓ ଜାରି କରାଯାଇଛି। ଏଥିରେ ନିର୍ଦ୍ଦେଶକ ନୀତେଶ ତିୱାରୀ, ଅଭିନେତା ରଣବୀର କପୁର ଏବଂ ନିର୍ମାତା ନମିତ ମାଲହୋତ୍ରା ଫିଲ୍ମର ନିର୍ମାଣ ଓ ଏହାର ବିଶାଳ ପରିକଳ୍ପନା ବିଷୟରେ ଆଲୋଚନା କରୁଥିବା ଦେଖାଯାଇଛି।
ନମିତ ମଲହୋତ୍ରାଙ୍କ କହିବା ଅନୁସାରେ, ସାରା ବିଶ୍ୱରେ ୧୦ ହଜାରରୁ ଅଧିକ ଲୋକ ଏହି ପ୍ରକଳ୍ପରେ କାମ କରୁଛନ୍ତି। ଏହା ଫିଲ୍ମର ବିଶାଳ ପ୍ରଯୋଜନା ପରିସରକୁ ଦର୍ଶାଉଛି। ‘ରାମାୟଣ’ରେ ବାପା-ପୁଅଙ୍କ ସମ୍ପର୍କ, ସଂଘର୍ଷ ମଧ୍ୟରୁ ଉଠି ଆସୁଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଏବଂ ଏକ ସାହସିକ ପ୍ରେମଗାଥା ରହିଛି। ରଣବୀର କପୁର ମଧ୍ୟ ଫିଲ୍ମର ପ୍ରଯୋଜନାକୁ ପ୍ରଶଂସା କରିଛନ୍ତି।