ସାଇ ଇଣ୍ଟରନ୍ୟାଶନାଲ ଦେଶର ଶ୍ରେଷ୍ଠ ସ୍କୁଲ

ଭୁବନେଶ୍ୱର, ୧୪।୧୦ (ଅସମାପିକା ସାହୁ): ଏଜୁକେଶନ ୱାର୍ଲଡ ଇଣ୍ଡିଆ ସ୍କୁଲ୍‌ ର଼୍ୟାଙ୍କିଙ୍ଗ୍‌ରେ ସର୍ବଭାରତୀୟ ସ୍ତରରେ ଡେ କମ୍‌ ବୋର୍ଡିଂ ବିଭାଗରେ ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ୨୦୨୩-୨୪ବର୍ଷ ପାଇଁ ଶ୍ରେଷ୍ଠ ସ୍କୁଲ ମାନ୍ୟତା ପାଇଛି। ଏଥିସହ ଓଡ଼ିଶାରେ ଏକ ନମ୍ବର ସ୍କୁଲର ମାନ୍ୟତା ପାଇଛି। ୨୦୨୦ରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଦେଶର ଶ୍ରେଷ୍ଠ ସ୍କୁଲର ମାନ୍ୟତା ପାଇଥିବାବେଳେ ସେବେଠାରୁ କ୍ରମାଗତ ଭାବେ ଚତୁର୍ଥଥର ପାଇଁ ଏହି ସ୍ଥାନ ବଜାୟ ରଖିଛି। ଶୁକ୍ରବାର ଦିଲ୍ଲୀରେ ଅନୁଷ୍ଠିତ ଏଜୁକେଶନ୍‌ ୱାର୍ଲଡ ଇଣ୍ଡିଆ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାଶନାଲର ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏବଂ ଡାଇରେକ୍ଟର ଏକାଡେମିକ୍‌ ତଥା ସିନିୟର୍‌ ପ୍ରିନ୍ସିପଲ୍‌ ନୀଳକଣ୍ଠ ପାଣିଗ୍ରାହୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏଜୁକେଶନ୍‌ ୱାର୍ଲଡ ଇଣ୍ଡିଆର ସ୍କୁଲ ର଼୍ୟାଙ୍କିଙ୍ଗ ସର୍ଭେରେ ଭାରତର ବଛା ବଛା ୧୦୦୦ ସ୍କୁଲ ସାମିଲ ହୋଇଥିଲା। ଏକାଡେମିକ୍‌ ପ୍ରତିଷ୍ଠା, ଅଭିଭାବକଙ୍କ ଯୋଗଦାନ, ଛାତ୍ରୀଛାତ୍ରଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ, ଶିକ୍ଷକଙ୍କ ଦକ୍ଷତା, କ୍ରୀଡ଼ା ଶିକ୍ଷା ପରି ୧୪ଟି ପାରାମିଟରକୁ ବିଚାରକୁ ନେଇ ଏହି ଚୟନ ପ୍ରକ୍ରିୟା କରାଯାଇଥିଲା।
ଏହି ସଫଳତା ସମ୍ପର୍କରେ ସ୍କୁଲ୍‌ର ଚେୟାର ପର୍ସନ ଡ. ସାହୁ କହିଛନ୍ତି, ସାଇ ଇଣ୍ଟରନ୍ୟାଶନାଲ୍‌ ନିଜର କେ-୧୨ ଶିକ୍ଷା ସହ ଟେକ୍ନୋଲୋଜିକୁ ଏକ ଉପକରଣ ଭାବେ ଗ୍ରହଣ କରି କ୍ରମାଗତ ଭାବେ ଅନୁସନ୍ଧାନ ଏବଂ ଉଦ୍ଭାବନ କରିଆସୁଛି। ଏହା କେବଳ ବିକାଶଶୀଳ ପରସ୍ଥିତି ସହ ଖାପଖୁଆଇବା ପାଇଁ ନୁହେଁ, ବରଂ ଛାତ୍ର ଏବଂ ଶିକ୍ଷକଙ୍କ ବହୁମୂଲ୍ୟ ଶିକ୍ଷା ପାଇଁ ଏକ ପଥ ପରିଷ୍କାର କରିଛି। ଏହି ପୁରସ୍କାର ସାଇ ଇଣ୍ଟରନ୍ୟାଶନାଲ୍‌ ଗ୍ରୁପ୍‌ର ସମସ୍ତ ଅଭିଭାବକ, ଛାତ୍ରୀଛାତ୍ର, ଅଧ୍ୟାପକଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାକୁ ସ୍କୁଲ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ନୂଆ ପରିଚୟ ଦେଇଛି। ଏଭଳି ଭାବେ ଶିକ୍ଷା ମାଧ୍ୟମରେ ଏକ ଉନ୍ନତ ଭାରତ ଗଠନ କରିବାର ସଂକଳ୍ପ ଓ ପ୍ରଚେଷ୍ଟା ଆଗାମୀ ଦିନରେ ଜାରି ରହିବ ବୋଲି ଡ. ସାହୁ ପ୍ରକାଶ କରିଛନ୍ତି।