ସାଇ ଇଣ୍ଟରନ୍ୟାଶନାଲ ସର୍ବଭାରତୀୟ ଶ୍ରେଷ୍ଠ ସ୍କୁଲ

ଭୁବନେଶ୍ୱର, ୪।୧୨ (ବ୍ୟୁରୋ):ଏଜୁକେଶନ ୱାଲର୍‌ଡ ଇଣ୍ଡିଆ ସ୍କୁଲ୍‌ ର଼୍ୟାଙ୍କିଙ୍ଗ୍‌ରେ ସର୍ବଭାରତୀୟ ସ୍ତରରେ ଡେ’ କମ୍‌ ବୋର୍ଡିଂ ବିଭାଗରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ ୨୦୨୧-୨୨ ବର୍ଷ ପାଇଁ କ୍ରମାଗତ ଦ୍ୱିତୀୟଥର ଶ୍ରେଷ୍ଠ ସ୍କୁଲ ଏବଂ ଓଡ଼ିଶାରେ ୧ନମ୍ବର ସ୍କୁଲର ମାନ୍ୟତା ପାଇଛି। ସେହିପରି ଡିପିଏସ୍‌ ଆର୍‌କେପୁରମ୍‌ (ଦିଲ୍ଲୀ) ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମଡର୍ନ ସ୍କୁଲ ବାରଖମ୍ବା ରୋଡ୍‌ (ଦିଲ୍ଲୀ) ତୃତୀୟ ସ୍ଥାନରେ ରହିଛି।
ଏଜୁକେଶନ ୱାଲର୍‌ଡ ଇଣ୍ଡିଆର ୧୫ତମ ସଂସ୍କରଣରେ ସ୍କୁଲ୍‌ ର଼୍ୟାଙ୍କିଙ୍ଗ୍‌ ସର୍ଭେରେ ଦେଶର ମୋଟ ୧୦୦୦ ସ୍କୁଲ ସାମିଲ ହୋଇଥିଲା। ଏକାଡ଼େମିକ୍‌ ପ୍ରତିଷ୍ଠା, ଅନଲାଇନ୍‌ ଶିକ୍ଷା ଦକ୍ଷତା, ଅଭିଭାବକଙ୍କ ଯୋଗଦାନ, ଛାତ୍ରୀଛାତ୍ରଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ପରି ୧୪ ପାରାମିଟରକୁ ବିଚାରକୁ ନେଇ ଏହି ଚୟନ ପ୍ରକ୍ରିୟା କରାଯାଇଥିଲା। ବିଶ୍ୱରେ କରୋନା ମହାମାରୀ ସମୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ସାଇ ଇଣ୍ଟରନ୍ୟାଶନାଲ୍‌ର ପ୍ରତିଷ୍ଠାତା ସ୍ବର୍ଗତ ଡ. ବିଜୟ କୁମାର ସାହୁ ଛାତ୍ରୀଛାତ୍ରଙ୍କୁ ନିରବଚ୍ଛିନ୍ନ ଶ୍ରେଣୀ ଶିକ୍ଷା ସହ ଯୋଡ଼ିବା ପାଇଁ ବିଶ୍ୱସ୍ତରୀୟ ଟେକ୍ନୋଲୋଜିକୁ ଉପଯୋଗ କରି ଅନଲାଇନ୍‌ ଶିକ୍ଷାର ଆରମ୍ଭ କରିଥିଲେ। ସାଇ ଇଣ୍ଟରନ୍ୟାଶନାଲ ଟେକ୍ନୋଲୋଜିକୁ ଏକ ଉପକରଣ ଭାବେ ଗ୍ରହଣ କରି କ୍ରମାଗତ ଭାବେ ଅନୁସନ୍ଧାନ ଏବଂ ଉଦ୍ଭାବନ କରିଆସୁଛି। ଏହି ପୁରସ୍କାର ସାଇ ଇଣ୍ଟରନ୍ୟାଶନାଲ ଗ୍ରୁପ୍‌ର ସମସ୍ତ ଅଭିଭାବକ, ଛାତ୍ରୀଛାତ୍ର, ଅଧ୍ୟାପିକା ଓ ଅଧ୍ୟାପକଙ୍କ ପାଇଁ ଗୌରବର ବିଷୟ ବୋଲି ଏହି ପରିପ୍ରେକ୍ଷୀରେ ସ୍କୁଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍କୁଲର ଚେୟାରପର୍ସନ ଡ. ଶିଳ୍ପୀ ସାହୁ କହିଛନ୍ତି। ଓଡ଼ିଶାକୁ ସ୍କୁଲ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ଏହା ଏକ ନୂଆ ପରିଚୟ ସୃଷ୍ଟି କରାଇବ। ଶିକ୍ଷା ମାଧ୍ୟମରେ ଏକ ଉନ୍ନତ ଭାରତ ଗଠନ କରିବାର ସଂକଳ୍ପ ଓ ପ୍ରଚେଷ୍ଟା ଆଗାମୀ ଦିନରେ ଏମିତି ଜାରି ରହିବ ବୋଲି ଡ. ସାହୁ କହିଛନ୍ତି।