ଡ୍ରେନ୍‌, ପାନୀୟ ଜଳ ସମସ୍ୟାରେ ସାହି ବାସିନ୍ଦା ଉବୁଟୁବୁ

ବ୍ରହ୍ମପୁର ଅଫିସ୍‌,୧୭।୨: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୱାର୍ଡ ସଫେଇ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏପରିକି ବିଭିନ୍ନ ୱାର୍ଡରେ ବୈଠକ ଡକାଯାଇ ପରିଷ୍କାର ଓ ପରିଚ୍ଛନ୍ନତା ନେଇ ବିଭିନ୍ନ ସମୟରେ ସଚେତନତା ମଧ୍ୟ କରାଯାଉଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ କର୍ମଚାରୀଙ୍କ ଅବହେଳାରୁ ସହରର ବିଭିନ୍ନ ୱାର୍ଡରେ ପରିଷ୍କାର ପରିଚ୍ଛନ୍ନତା ଉଜୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ଏଭଳି ଏକ ୱାର୍ଡ ହେଉଛି ମହାନଗର ନିଗମ ୨୦ ନଂ. ୱାର୍ଡ। ଏହି ୱାର୍ଡ ସହ ସୂର୍ଯ୍ୟନଗର, ବଡ଼ଖେମୁଣ୍ଡି ସାହି, ରାମକୃଷ୍ଣ ନଗର, ଗୋଲାପଲୀ ସାହି, ଗୋଲାପଲୀ(ଦ୍ୱିତୀୟ),ରଘୁନାଥ ନଗର ଭଳି ଅଞ୍ଚଳର ଏହି ୱାର୍ଡ ସହ ସଂଶ୍ଳିଷ୍ଟ। ଏହି ୱାର୍ଡରେ ଡ୍ରେନ୍‌, ପାନୀୟ ଜଳ ସମସ୍ୟା ମଧ୍ୟରେ ସ୍ଥାନୀୟ ବାସିନ୍ଦା ଉବୁଟୁବୁ ହେଉଛନ୍ତି। ଡ୍ରେନ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ବେଳେ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଉକ୍ତ ୱାର୍ଡର ସେବକନଗର ତଥା ହରିଜନ କଲୋନୀରେ ରହିଥିବା ଡ୍ରେନ୍‌ ସମସ୍ୟା କହିଲେ ନ ସରେ। ଡ୍ରେନ୍‌ଗୁଡ଼ିକୁ ଠିକ୍‌ ଭାବେ ସଫେଇ କରାଯାଉ ନ ଥିବାରୁ ନର୍ଦ୍ଦମା ପାଣି ନିଷ୍କାସିତ ନ ହୋଇ ରାସ୍ତାରେ ଭାସୁଛି। ଫଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଦୀର୍ଘଦିନ ଧରି ଡ୍ରେନ୍‌ଗୁଡ଼ିକୁ ମରାମତି ମଧ୍ୟ କରାଯାଉ ନାହିଁ। ଡ୍ରେନ୍‌ ମରାମତି ନେଇ ବିଏମ୍‌ସି ପକ୍ଷରୁ ଟେଣ୍ଡର ଡକାଯାଉଛି, କିନ୍ତୁ କୌଣସି କାର୍ଯ୍ୟ କରାଯାଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏଥିସହ ସଫେଇ କର୍ମଚାରୀ ମଧ୍ୟ କାର୍ଯ୍ୟ ଠିକ୍‌ ଭାବେ କରୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ସାହିର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମି ରହୁଛି। ଏପରିକି ନିର୍ଦ୍ଧାରିତ ସଂଖ୍ୟକ ସଫେଇ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ରହୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏଥିସହ ଉକ୍ତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି। ଏଠାରେ ରହିଥିବା ଷ୍ଟାଣ୍ଡପୋଷ୍ଟରୁ ଦିନକୁ ମାତ୍ର ଅଧଘଣ୍ଟା ପାଇଁ ପାଣି ଆସୁଛି। ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍‌ ଲାଇନ୍‌ ଯାଇଛି। କିନ୍ତୁ ପାଣି ଆସୁ ନାହିଁ। ଫଳରେ ସ୍ଥାନୀୟ ବାସିନ୍ଦା ଅନ୍ୟ ସାହିକୁ ଯାଇ ପାଣି ଆଣିବା ପାଇଁ ବାଧ୍ୟ ହେଉଛନ୍ତି। ଖରାଦିନ ପୂର୍ବରୁ ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ୱାର୍ଡର ପୂର୍ବତନ କର୍ପୋରେଟର ଧବଳ ବେହେରାଙ୍କ ସହ ଯୋଗାଯୋଗ କରିବାରୁ, ଡ୍ରେନ୍‌ ଉପରେ ଘର ନିର୍ମାଣ ହୋଇଛି। ଯଦ୍ୱାରା ନର୍ଦ୍ଦମା ପାଣି ଠିକ୍‌ ଭାବେ ନିଷ୍କାସିତ ହୋଇପାରୁ ନାହିଁ। ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କାୈଣସି ସୁଫଳ ମିଳୁ ନାହିଁ।