ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ସ୍ଥିତ ‘ସାହାରା ନର୍ସିଂ ହୋମ’ ଉପରେ ଚଢ଼ାଉ କରାଯାଇ ଏହାକୁ ସିଲ କରାଯିବା ସହ ଏହାର ମାଲିକ ମଙ୍ଗୁଳୁ ଚରଣ ପ୍ରଧାନଙ୍କୁ ଗିରଫ କରାଯାଇଛି।
ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭବାନୀ ଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସାରେ ଏକ ମିଳିତ ଟିମ୍ ଏହି ନର୍ସିଂ ହୋମ ଉପରେ ଚଢ଼ାଉ କରିଥିଲେ। ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ଏବଂ ଆଇଆଇସି କିଶୋର କୁମାର ସାମଲଙ୍କ ଉପସ୍ଥିତିରେ ହୋଇଥିବା ଏହି ଚଢ଼ାଉ ବେଳେ ସେଠାରେ ଦୁଇଜଣ ରୋଗୀ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଥିଲା। ପୋଲିସ ସେଠାରୁ ଅଲଟ୍ରା ସାଉଣ୍ଡ ମେଶିନ ଓ ବି.ପି ମନିଟର ସମେତ ୨୧ ପ୍ରକାରର ଡାକ୍ତରୀ ସାମଗ୍ରୀ ଜବତ କରି ନର୍ସିଂ ହୋମକୁ ସିଲ କରିଛି।
ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ରଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ମଙ୍ଗୁଳୁଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ସଙ୍ଗୀନ ଧାରା (୩୧୬(୪)/୩୧୯(୨)/୩୩୬(୩) ଇତ୍ୟାଦି) ସହ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ ମାମଲା (ନଂ. ୧୩୧/୨୬) ରୁଜୁ ହୋଇଛି। ଶନିବାର ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ଜେଲକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଗତ ମେ ୧୧, ୨୦୨୫ରେ ଏହି ନର୍ସିଂ ହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଜଣେ ପ୍ରସୂତି ମହିଳା ଓ ତାଙ୍କ ନବଜାତ ଶିଶୁର ମୃତ୍ୟୁ ଘଟିଥିଲା। ସେହି ମାମଲାରେ ଗିରଫ ହୋଇ ଜାମିନରେ ଆସିବା ପରେ ମଙ୍ଗୁଳୁ ପୁଣି ଥରେ ବିନା ଅନୁମତିରେ ଓ ବିନା କୌଣସି ଅଭିଜ୍ଞ ଡାକ୍ତରଙ୍କ ସହାୟତାରେ ବେଆଇନ ଭାବେ ଚିକିତ୍ସା ସେବା ଜାରି ରଖିଥିଲେ। କେବଳ ସେତିକି ନୁହେଁ, ମୃତ ମହିଳାଙ୍କ ପରିବାରକୁ ଧମକ ଦେବା ନେଇ ମଧ୍ୟ ତାଙ୍କ ନାମରେ ପୃଥକ ମାମଲା ବିଚାରାଧୀନ ରହିଛି।

