ସାହାରା ଖୋଜୁଛନ୍ତି ଅନାଥ ଭଉଣୀଭାଇ

ଢେଙ୍କାନାଳ ଅଫିସ,୨୧।୬, ୨ ବର୍ଷ ତଳୁ ମା’ ବାପାଙ୍କ ମୃତ୍ୟୁ ହୋଇଯାଇଛି। ଜେଜେମା ଓ ଜେଜେ ମଧ୍ୟ ନାହାନ୍ତି। ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦାଦା ସେମାନଙ୍କ ଲାଳନପାଳନ ନିମନ୍ତେ ସକ୍ଷମ ହୋଇପାରୁ ନାହାନ୍ତି। ତେଣୁ ଜିଲା ପ୍ରଶାସନ ସହାୟ ହେଲେ ସେମାନେ ସାହାରା ପାଇପାରନ୍ତେ ବୋଲି ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ମୋଟଙ୍ଗା ଥାନା ଗୁଡିଆକାଟେଣୀ ନାଣ୍ଡିପୋଲିଆ ଅଞ୍ଚଳର ୨ ଅନାଥ ଭଉଣୀ ଭାଇ ଜିଲା ପ୍ରଶାସନ ନିକଟରେ ସୋମବାର ଅଭିଯୋଗ କରିଛନ୍ତି। ଜିଲାପାଳ ହିନ୍ଦୋଳଠାରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେବାକୁ ଯାଇଥିବାରୁ ଦୁଇ ଶିଶୁ ନିଜର ଦାଦା ରାଜେନ୍ଦ୍ର ନାଏକ ଏବଂ ଓଡ଼ିଶା ଦଳିତ ଅଧିକାର ମଞ୍ଚ ଜିଲା ସଭାପତି କାମାକ୍ଷା ପ୍ରସାଦ ନାଏକଙ୍କ ସହ ଆସି ଅତିରିକ୍ତ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି, ନାଣ୍ଡିପୋଲିଆ ଗ୍ରାମର ଶ୍ରମିକ ଭାବେ କାମ କରୁଥିବା ଅନୁସୂଜିତ ଜାତି ସମ୍ପ୍ରଦାୟର ମିଟିକା ନାଏକ(୪୦) ଓ ତାଙ୍କ ସ୍ତ୍ରୀ ଶାନ୍ତିଲତା ନାଏକ(୩୦)ଙ୍କ ଗତ ଦୁଇବର୍ଷ ଭିତରେ କିଡ୍‌ନୀ ରୋଗରେ ମୃତ୍ୟୁ ହୋଇଯାଇଥିଲା। ସମ୍ପୃକ୍ତ ଦମ୍ପତିଙ୍କ ଦୁଇ ସନ୍ତାନ ମଧ୍ୟରୁ ପୁଅ ଲକ୍ଷ୍ମୀଧର ନାଏକ ତୃତୀୟ ଓ ଝିଅ ଅନ୍ନପୂର୍ଣ୍ଣା ନାଏକ ପ୍ରଥମ ଶ୍ରେଣୀରେ ପଢୁଛନ୍ତି ା ଦୁଇ ଶିଶୁଙ୍କ ଜେଜେମା ଓ ଜେଜେ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଫଳରେ ସେମାନେ ହିନ୍ଦୋଳ ବ୍ଲକ ବାବନ୍ଧଠାରେ ରହି ଶ୍ରମିକ ଭାବେ କାମ କରୁଥିବା ଦାଦା ରାଜେନ୍ଦ୍ର ନାଏକଙ୍କ ପାଖରେ ରହୁଛନ୍ତି। ରାଜେନ୍ଦ୍ର ଶ୍ରମିକ ଭାବେ କାମ କରୁଥିବାବେଳେ ତାଙ୍କର ମଧ୍ୟ ଦୁଇଟି ଶିଶୁ ରହିଛନ୍ତି। ଫଳରେ ରାଜେନ୍ଦ୍ର ଲକ୍ଷ୍ମୀଧର ଓ ଅନ୍ନପୂର୍ଣ୍ଣାଙ୍କୁ ପାଠ ପଢାଇବା ଓ ପାଳିବାରେ ସକ୍ଷମ ହୋଇପାରୁନାହାନ୍ତି। ପାଠ ପଢିବାରେ ଆଗ୍ରହ ଥିଲେ ମଧ୍ୟ ମା, ବାପାଙ୍କୁ ହରାଇଥିବା ଦୁଇ ଶିଶୁଙ୍କ ପାଇଁ ଥଇଥାନ ଏବଂ ଆର୍ଥିକ ସଙ୍କଟ ପ୍ରମୁଖ ପ୍ରତିବନ୍ଧକ ସାଜିଛି। ସହାୟତାର ହାତ ବଢାଇବା ପାଇଁ ଏବଂ ସାହାରା ପ୍ରଦାନ ପାଇଁ ଉଭୟେ ଶିଶୁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।