Categories: ଖେଳ

ସାହାଣୀ କପ୍‌ ଫୁଟ୍‌ବଲ ଚାମ୍ପିୟନଶିପ୍‌: କଟକକୁ ହରାଇ ସୁନ୍ଦରଗଡ଼ ଚାମ୍ପିୟନ

ସୁନ୍ଦରଗଡ଼, ୧୪।୨: ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ଆୟୋଜିତ ୬୧ତମ ସାହାଣୀ କପ୍‌ ଫୁଟବଲ ଚାମ୍ପିୟନଶିପ୍‌ରେ ରବିବାର ଫାଇନାଲ ଖେଳରେ ସୁନ୍ଦରଗଡ ଦଳ କଟକକୁ ହରାଇ ଚାମ୍ପିୟନ ହୋଇଛି। ଗତବର୍ଷ ବରଗଡଠାରେ ଅନୁଷ୍ଠିତ ସାହାଣୀ କପ୍‌ ଫୁଟବଲ ଚାମ୍ପିୟନଶିପ୍‌ରେ ରାଉରକେଲାକୁ ୨-୦ ଗୋଲରେ ପରାଜିତ କରି ଚାମ୍ପିୟନ ହୋଇଥିବା ସୁନ୍ଦରଗଡ଼ ଦଳ ଚଳିତଥର ନିଜ ମାଟିରେ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇପାରିଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। ଗୋଲଶୂନ୍ୟ ଡ୍ର ହେବା ପରେ ପେନାଲ୍‌ଟି ସୁଟ୍‌ ଆଉଟ୍‌ ମାଧ୍ୟମରେ ସୁନ୍ଦରଗଡ ଦଳ ୪-୦ ଗୋଲରେ ବିଜୟୀ ହୋଇଥିଲା। ଉଦ୍‌ଯାପନୀ ଦିବସରେ ସୁନ୍ଦରଗଡ଼ ଜିଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ ଭୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଅଲିମ୍ପିକ ଆସୋସିଏଶନର ସମ୍ପାଦକ ଅଭିଜିତ ପାଲ ମୁଖ୍ୟ ଅତିଥି ଏବଂ ଫାଓର ସମ୍ପାଦକ ରବିନାରାୟଣ ପଣ୍ଡା, କିଶୋର କୁମାର ମିଶ୍ର ଓ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଚାମ୍ପିୟନ ଦଳକୁ ଟ୍ରଫି ସହ ନଗଦ ୧୫ହଜାର ଟଙ୍କା ଓ ରନର୍ସ ଅପ୍‌ କଟକ ଦଳକୁ ଟ୍ରଫି ସହ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ। ଜିଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ଭୋଳ ଚାମ୍ପିୟନ ଦଳକୁ ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ।

Share