ଥୁଆମୂଳ ରାମପୁର,୨୬।୧(ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀ ତରଫରୁ ଥୁଆମୁଳ ରାମପୁର ଥାନାକୁ ୪ଟି ରାସ୍ତା ସୁରକ୍ଷା ବ୍ୟାରିକେଟ ପ୍ରଦାନ କରିଥିବା ବେଳେ ୨ଟି ଥାନା ଓ ମେଡିକାଲ ଛକରେ ଲଗାଯାଇଥିବାବେଳେ ଆଉ ୨ଟି ଅନ୍ୟ ଏକ ଛକରେ ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭାରମ୍ଭ ସ୍ବରୂପ ଲଗାଯାଇଛି। ଏହାକୁ ନେଇ ଥାନା ପକ୍ଷରୁ କିଛି ମାତ୍ରାରେ ଦୁର୍ଘଟଣା ଜନିତ ଘଟଣା ବା ଦ୍ରୁତଗତି ଗାଡ଼ି ଚଳାଚଳ କମ ହୋଇପାରେ ବୋଲି ଆଶ୍ବସ୍ତି ମିଳିଥିବା ଜଣାଯାଏ। ଆଜିକାଲି ରାସ୍ତାରେ ବେଫରୁଆ ଭାବରେ ଯାନବାହନ ଚଳାଚଳକୁ ଆଖିଆଗରେ ରଖି ସଡକ ସୁରକ୍ଷା ଦିବସ ଅବସରରେ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ବିଭିନ୍ନ ଥାନାଗୁଡିକୁ ସଡକ ସୁରକ୍ଷା ବେରିକେଟ ପ୍ରଦାନ କରିଥିବା ବେଳେ ଉକ୍ତ ଥାନାକୁ ମଧ୍ୟ ପ୍ରଦାନ କରିଛନ୍ତି।
ସେହିଭଳି କମ୍ପାନୀ ପକ୍ଷରୁ କାଁଭାଁ ଖଣି ପ୍ରଭାବିତ ଅଞ୍ଚଳକୁ ବିକାଶ କରିବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ଯେତେ ପରିମାଣରେ ଅଞ୍ଚଳର ବିକାଶ ପାଇଁ କମ୍ପାନୀ ଦାୟିତ୍ୱ ଗ୍ରହଣ ବା ପ୍ରତିଶ୍ରୁତି ଦେଇଥିଲା ଆଉ ହେଉନାହିଁ। କିଛି ସ୍ଥାନରେ କେବଳ ସରକାରୀ କାର୍ଯ୍ୟାଳୟ ମାନଙ୍କରେ କିଛି ଜିନିଷ ପତ୍ର ଯୋଗାଇ କମ୍ପାନୀକୁ ନିଜ ପକ୍ଷରୁ ଦୋଷ ଘୁଞ୍ଚିବା ଭଳି ପରିସ୍ଥିତି ଥୁଆମୁଳ ରାମପୁର ବ୍ଳକରେ ଦେଖିବାକୁ ମିଳୁଛି।
ଉତ୍କଳ ଆଲୁମିନା କମ୍ପାନୀ ଥୁଆମୁଳ ରାମପୁର ବ୍ଳକରେ ଆରମ୍ଭ କରିବା ପୂର୍ବରୁ ଅଞ୍ଚଳ ବାସୀଙ୍କୁ ଅଞ୍ଚଳର ବିକାଶ କରିବା ଦିଗରେ ଚେଷ୍ଟା କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ଆଉ ଏବେ ହେଉନାହିଁ। କାଶୀପୁର କିଛି ଅଞ୍ଚଳ ଓ ଥୁଆମୁଳ ରାମପୁର ବ୍ଳକର ମାଳିଗାଁ, ଗୋପୀନାଥପୁର, ଅଡ୍ରୀ ପଞ୍ଚାୟତର କିଛି ଅଞ୍ଚଳ ଖଣି ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ସେହି ଅଞ୍ଚଳ ପ୍ରତି କମ୍ପାନୀ ଅଣଦେଖା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଥିବା ଜଣାପଡିଛି।
କିଛି ରାଜନେତା ଓ ସରକାରୀ ଅଧିକାରୀଙ୍କୁ ହାତ କରି ଖଣି ପ୍ରଭାବିତ ଅଞ୍ଚଳର ଗରିବ ଲୋକଙ୍କୁ ଅଣଦେଖା କରିଥିବା ଘଟଣାକୁ ନେଇ ଅଞ୍ଚଳରେ ଉଦବେଗ ପ୍ରକାଶ ପାଉଛି। ତେବେ କମ୍ପାନୀ ଅଞ୍ଚଳର ବିକାଶ କରିବା ବଦଳରେ ବିଭିନ୍ନ କାର୍ଯ୍ୟାଳୟ ପ୍ରତି ଆସକ୍ତି ଏତେ କାହିଁକି ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡିଛି।


