Categories: ଜାତୀୟ

‘ପାରୋଲ ଦରକାର ନାହିଁ ଆମେ ଜେଲ୍‌ରେ ସୁରକ୍ଷିତ ଅଛୁ’

ଲକ୍ଷ୍ନୌ, ୩୦।୫: ଜେଲ୍‌ରୁ ବାହାରିବା ପାଇଁ ପ୍ରାୟ ଅନ୍ତେବାସୀ ପାରୋଲ ଲାଗି ଅନେଇ ବସିଥାନ୍ତି। କିନ୍ତୁ ଉତ୍ତର ପ୍ରଦେଶର ୯ ଜେଲ୍‌ରେ କାରାଦଣ୍ଡ ଭୋଗୁଥିବା ୨୧ ଅନ୍ତେବାସୀଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ। କୋଭିଡ୍‌-୧୯ ମହାମାରୀ ସମୟରେ ଆମେ ପାରୋଲରେ ଯିବାକୁ ଚାହୁଁ ନାହୁଁ। ଆମ ପାଇଁ ଜେଲ୍‌ରେ ରହିବା ଅଧିକ ନିରାପଦ ଓ ସ୍ବାସ୍ଥ୍ୟକର ବୋଲି ଜେଲ୍‌ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି।

ପାରୋଲ ଦ୍ୱାରା ଜେଲ୍‌ ଦଣ୍ଡକୁ ସାମୟୀକ ଭାବେ ସ୍ଥଗିତ ରଖାଯାଏ। ଉତ୍ତର ପ୍ରଦେଶର ଗାଜିଆବାଦ, ଗୌତମ ବୁଦ୍ଧନଗର, ମୀରଟ, ମହାରାଜଗଞ୍ଜ, ଗୋରଖପୁର ଓ ଲକ୍ଷ୍ନୌର ୯ଟି ଜେଲ୍‌ର କଏଦୀମାନେ ଉପରୋକ୍ତ ଅନୁରୋଧ କରିଛନ୍ତି। ଏହାକୁ ରବିବାର ସ୍ପଷ୍ଟ କରିଛନ୍ତି ଜେଲ୍‌ ପ୍ରଶାସନର ଡିଜି ଆନନ୍ଦ କୁମାର।

ଏହାର କାରଣରେ କଏଦୀମାନେ ଦର୍ଶାଇଛନ୍ତି, ଜେଲରୁ ବାହାରିଲେ ସେମାନଙ୍କୁ ଖାଇବା ଓ ସ୍ବାସ୍ଥ୍ୟ ସୁବିଧା ମିଳିବ ନାହିଁ। ଏହା ଜେଲ୍‌ରେ ଉପଲବ୍ଧ ହେଉଛି। ଜେଲ୍‌ରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଖାଦ୍ୟ ସମୟରେ ମିଳୁଛି। ଜେଲ୍‌ରେ ସେମାନେ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ଜେଲରୁ ବାହାରିବା ପରେ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡ଼ିବ। କଏଦୀମାନେ ଲିଖିତ ଆକାରରେ ଅନୁରୋଧ କରିଥିବାରୁ ଆମକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ଡିଜି ଆନନ୍ଦ କହିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ବିଗିଡ଼ିବା ପରେ ଜେଲରୁ ୨୨ ହଜାର କଏଦୀଙ୍କୁ ପାରୋଲ କିମ୍ବା ଜାମିନରେ ଛଡ଼ା ଯାଇଥିବା ସେ ସୂଚନା ଦେଇଛନ୍ତି।

Share