ଦୂରହେବ ଦୀର୍ଘ ଦଶନ୍ଧିର ଦୁଃଖ

ଭବାନୀପାଟଣା,୧୯।୫(ସ୍ବ.ପ୍ର.): ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ସଂଯୋଗ କରିବାକୁ ସରକାର ରାସ୍ତା ଓ ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ଇଲାକାର ଲୋକଙ୍କ ପାଇଁ ପ୍ରହସନ ପାଲଟିଛି ଯୋଜନା। ନଦୀରେ ପୋଲଟିଏ ନ ଥିବା ଯୋଗୁ ଭାରରେ ବୁହା ହେଉଛନ୍ତି ରୋଗୀ। ସ୍ବଳ୍ପ ବର୍ଷାରେ ଜଳବନ୍ଦୀ ଜୀବନ କାଟୁଥିବା କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ୧୦ଖଣ୍ଡ ଗାଁ ଲୋକଙ୍କ ଦୀର୍ଘ ଦଶନ୍ଧିର ଦାବି ଏବେ ପୂରଣ ହେବାକୁ ଯାଉଛି। ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବାକୁ ଯାଉଛି ବିଜୁ ସେତୁ। ଏଥିପାଇଁ ୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ଜିଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକଠାରୁ ମାତ୍ର ୭ କି.ମି. ଦୂରରେ ରହିଛି ଇନ୍ଦ୍ରାବତୀ ନଦୀ। ନଦୀ ଆରପଟେ ରହିଛି ୧୦ଖଣ୍ଡ ଗାଁ। ସାମାନ୍ୟ ବର୍ଷା ହେଲେ ଜଳବନ୍ଦୀ ଜୀବନ ବିତାଉଥିବା ଏହି ଅଞ୍ଚଳବାସୀଙ୍କ ଦୁଃଖ ଏବେ ଦୂର ହେବାକୁ ଯାଉଛି। ଏହି ନଦୀ ପାର୍‌ ହୋଇ ଲାଞ୍ଜିଗଡ଼, ତଳଝାପି ନିକେଶ ଯୋର ଭଳି ୧୦ଖଣ୍ଡ ଗାଁର ଲୋକେ ଯିବାଆସିବା କରିଥାନ୍ତି। ଏହି ଅଞ୍ଚଳରେ ଗମନାଗମନ ପାଇଁ ଭଲ ରାସ୍ତା ନ ଥିବାବେଳେ କାଳ ସାଜିଛି ଇନ୍ଦ୍ରାବତୀ। ଗତ ୨ବର୍ଷ ମଧ୍ୟରେ ନଦୀରେ ବୁଡି ୫ଜଣଙ୍କ ଜୀବନ ଯାଇଛି। ବିଶେଷ କରି ବର୍ଷା ଦିନ ଆସିଲେ ଲୋକଙ୍କ ସମସ୍ୟା ଦୁଇଗୁଣ ବଢିଯାଏ। ଜଳବନ୍ଦୀ ଜୀବନ ଯାପନ କରନ୍ତି ଅଞ୍ଚଳବାସୀ। ନଦୀରେ ପୋଲ ନ ଥିବା ଯୋଗୁ ରୋଗୀ ଠିକ ସମୟରେ ମେଡ଼ିକାଲରେ ପହଞ୍ଚତ୍ ପାରନ୍ତି ନାହିଁ। ଛାତ୍ରୀଛାତ୍ର ମଧ୍ୟ ସ୍କୁଲ ଯିବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ଇନ୍ଦ୍ରାବତୀ ନଦୀରେ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ଏବେ ସେମାନଙ୍କ ତାହା ପୂରଣ ହେବାକୁ ଯାଉଛି। ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବାକୁ ଯାଉଛି ବିଜୁ ସେତୁ। ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ। ପ୍ରାୟ ୫ କୋଟି ବ୍ୟୟ ଅଟକଳରେ ଗୋଟିଏ ବର୍ଷ ମଧ୍ୟରେ ଏହା ନିର୍ମାଣ ହେବ। ସେତୁ ହେବା ପରେ ଗାଁକୁ ଆମ୍ବୁଲାନ୍ସ ଯିବା ସହ ଆଉ ଜଳବନ୍ଦୀ ଜୀବନ ବିତାଇବେ ନାହିଁ ୧୦ଖଣ୍ଡ ଗାଁର ଲୋକେ।