କଳାହାଣ୍ଡିରେ ସରୁନି ଦାଦନ ଦୁଃଖ

ଭବାନୀପାଟଣା,୨୦।୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରିଛି। ମାଳମାଳ ସରକାରୀ ଯୋଜନା ସତ୍ତ୍ବେ ଏଠି ସରୁନି ଦାଦନ ଦୁଃଖ। ପେଟପାଟଣା ଆଶାରେ ଗରିବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରେ ନିର୍ଯାତନା ସହି ନ ପାରି ଅନେକଙ୍କ ମୃତ୍ୟୁ ହେଉଥିବାବେଳେ ଏବେ ବି ଅନେକ ନିଖୋଜ ଅଛନ୍ତି। ଏମିତି ଘଟଣା ପ୍ରତ୍ୟେକ ଦିନ ଗଣମାଧ୍ୟମର ଶିରୋନାମା ପାଳଟୁଛି। ଏଥିପ୍ରତି ଜିଲା ଶ୍ରମ ବିଭାଗ ତଥା ଜିଲା ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଉ ନ ଥିବାରୁ ଏହା ଦିନକୁ ଅଣାୟତ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧ ମାସ ମଧ୍ୟରେ କଳାହାଣ୍ଡି ଜିଲାର ଧର୍ମଗଡ଼ ଉପଖଣ୍ଡରେ ପ୍ରାୟ ୭ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ କଲମପୁର ବ୍ଲକରେ ୩ଜଣ, କୋକସରା ବ୍ଲକରେ ୨, ଅବଶିଷ୍ଟ ଅନ୍ୟ ବ୍ଲକରେ ରହିଥିବା ଜଣାପଡିଛି। ନିକଟରେ ଏମିତି ପୁଣି ଏକ ଦାଦନ ଦୁଃଖ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ଭେଲଗାଁର ଜାଜ୍ଞସେନୀ ନାଏକଙ୍କ ଜୀବନରେ।
ଜାଜ୍ଞସେନୀ ନାଏକଙ୍କ ମା’ବାପାଙ୍କ ମୃତ୍ୟୁ ପରେ ବଡଭାଇ ହିଁ ତାଙ୍କର ସାହାର ଥିଲେ। ଭଉଣୀର ବିବାହ କରାଇବା ଆଶାରେ ଗାଁରେ କାମଧନ୍ଦା ଅଭାବ ଯୋଗୁ ଭାଇ ଧନିରାମ ଦାଦନ ଖଟିବାକୁ ଚେନ୍ନାଇ ଗଲେ। ଧନିରାମ ସେଠାରେ ଏକ କନଷ୍ଟ୍ରକ୍ସନ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ କାମ କରୁଥିବା ସମୟରେ ତାଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ମାଲିକ ସହାୟତାରେ ତାଙ୍କ ମୃତଦେହ ଗାଁକୁ ପହଞ୍ଚତ୍ଥିଲା। ଆଉ ସାଙ୍ଗରେ ଆସିଥିଲା କେବଳ ୩୦ ହଜାର ଟଙ୍କା। ଅନେକ ଆଶା ଓ ସ୍ବପ୍ନ ନେଇ ଦାନା ପାଇଁ ଦାଦନ ଯାଇଥିବା ଧନୀରାମ ନିଜେ ତ ଫେରି ପାରିଲେନି ମାତ୍ର ତାଙ୍କ ମୃତଦେହ ଫେରିଥିଲା। ତାଙ୍କ ମୃତ୍ୟୁରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଅସହାୟ ହୋଇ ପଡିଛନ୍ତି ଜାଜ୍ଞସେନୀ। ଭାଇର ମୃତ୍ୟୁ ପରେ ଏବେ ଅସହାୟ ଜାଜ୍ଞସେନୀ ଭାଇର କଥା କହି ବାହୁନି ବାହୁନି କାନ୍ଦୁଛନ୍ତି। ଆଉ ଭଉଣୀ ଆଖିର ଲୁହ ପୋଛିବା ପାଇଁ ତା ପାଖରେ ଆଉ କେହିନାହିଁ। ପ୍ରଶାସନ ପକ୍ଷରୁ ପୀଡିତ ପରିବାରଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆସନ୍ତା ଦିନରେ ଜାଜ୍ଞସେନୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତ।