Categories: ଜାତୀୟ

-ପାକିସ୍ତାନରେ ଦୁଇ ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା: କଡ଼ା ନିନ୍ଦା କଲା ଭାରତ

ନୂଆଦିଲ୍ଲୀ/ପେଶାୱାର,୧୫।୫:ପାକିସ୍ତାନର ପେଶାୱାରରେ ଦୁଇ ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଭାରତ ପକ୍ଷରୁ କଡା ଆପତ୍ତି ଉଠିଛି। ଏହି ଘଟଣାର ଗମ୍ଭୀରତାର ସହ ତଦନ୍ତ କରାଯାଉ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି।
ଏହି ହତ୍ୟାକାଣ୍ଡ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାକୁ ନେଇ ଭାରତବାସୀ ଏବଂ ବିଶେଷକରି ଶିଖ ସମ୍ପ୍ରଦାୟ ମଧ୍ୟରେ ବହୁତ ଚିନ୍ତା ରହିଛି । ପାକିସ୍ତାନରେ ଅଳ୍ପସଂଖ୍ୟକ ଲୋକଙ୍କୁ ଟାର୍ଗେଟ କରାଯିବା,ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହା ସହିତ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ସୁରକ୍ଷା ପାଇଁ ପାକିସ୍ତାନକୁ ପରାମର୍ଶ ଦିଆଯାଇଛି।
ପୋଲିସର ସୂଚନାନୁସାରେ, ପେଶାଓ୍ବାରରେ ସଲଜିତ ସିଂ (୪୨) ଏବଂ ରଣଜିତ ସିଂ (୩୮)ଙ୍କୁ ହତ୍ୟା କରାଯାଇଥିଲା। ଦୁହେଁ ମସଲା ବ୍ୟବସାୟ କରୁଥିଲେ। ପେଶୱାରଠାରୁ ପ୍ରାୟ ୧୭ କିଲୋମିଟର ଦୂରରେ ଥିବା ସରବଣ୍ଡର ବାଟା ତାଲ ବଜାରରେ ସେମାନଙ୍କର ଦୋକାନ ଅଛି। ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି।
ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏହି ଘଟଣାକୁ ନିନ୍ଦା କରିବା ସହ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଏବଂ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share