ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଲେ ସାଧୁ ନେପାକ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ବିଦ୍ୟୁତ୍‌ ସମସ୍ୟା ସମାଧାନ ଦାବିରେ ସୋମବାର ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଶତପଥୀଙ୍କୁ ଭେଟିଥିଲେ। ନିର୍ବାହୀଯନ୍ତ୍ରୀଙ୍କ ସହିତ ଆଲୋଚନା କରି ବିଦ୍ୟୁତ୍‌ ସମସ୍ୟା ସମୂହର ତ୍ୱରିତ ସମାଧାନ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ଦାବି ଉପସ୍ଥାପନ କରିଥିଲେ। ବରଗଡ଼ଠାରୁ ଆରମ୍ଭ କରି ଝାରବନ୍ଧ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲୋ ଭୋଲ୍‌ଟେଜ, ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବା ନେପାକ ଅଭିଯୋଗ କରିଥିଲେ। ଏବେ ତାତି, ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାବେଳେ ଏଭଳି ବିଦ୍ୟୁତ୍‌ ସମସ୍ୟା ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି ବୋଲି ସେ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବିଭିନ୍ନ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ ଥିବାବେଳେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଗୁଡ଼ିକ ମଧ୍ୟ ମୁକୁଳାଭାବେ ରହିଥିବାରୁ ସେଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ସେ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ନେପାକ କହିଛନ୍ତି। ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନାବେଳେ ପୂର୍ବତନ ବିଧାୟକ ନେପାକଙ୍କ ସହିତ ଗଙ୍ଗା ପୂଜାରୀ, ପ୍ରଶାନ୍ତ ନାୟକ, ଉପେନ୍ଦ୍ର ଘିବେଲା, ରବି ପତି ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share