ଦୁଃଖଦ ଶିରୋନାମା

ଦେଶ ସ୍ବାଧୀନତାର ତିନିବର୍ଷ ପୂର୍ବରୁ (୧୯୪୪) ସ୍ଥାପିତ ଓ ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଫକୀରମୋହନଙ୍କ ନାମରେ ନାମିତ ଓଡ଼ି଼ଶାର ଫକୀରମୋହନ ମହାବିଦ୍ୟାଳୟ (ଏବେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ) ଆଜି ଭୁଲ୍‌ କାରଣ (ମାନସିକ ନିର୍ଯାତନା ପାଇଁ ଜଣେ ଛାତ୍ରୀଙ୍କ ଆତ୍ମାହୁତି) ପାଇଁ ଖବରକାଗଜର ଶିରୋନାମା ମଣ୍ଡନ କରୁଛି। ସ୍ବୟଂ ଫକୀରମୋହନ ଓ ଆଦ୍ୟକାଳର ପ୍ରବାଦ ଶିକ୍ଷକଗଣ-ଯେଉଁମାନେ ଏହାର ମୂଳଦୁଆ ପକେଇଥିଲେ-କୁଞ୍ଜ ବିହାରୀ ଦାଶ, ତ୍ରିଲୋଚନ ମିଶ୍ର, ମନ୍ମଥ ନାଥ ଦାସ, ଶ୍ରୀରାମ ଚନ୍ଦ୍ର ଦାଶ, କ୍ଷେତ୍ରମୋହନ ପଟ୍ଟନାୟକ, ଜାନକୀ ବଲ୍ଲଭ ମହାନ୍ତି, ଭି.ଭି. ଜନ୍‌, ପି.ଏସ୍‌. ସୁନ୍ଦରମ୍‌ ପ୍ରମୁଖଙ୍କ ଆତ୍ମା ଆଜି ଆର୍ତ୍ତନାଦ କରୁଛି। ମାତୃ ଅନୁଷ୍ଠାନର ଗର୍ବ – ପଦ୍ମଭୂଷଣ ମନୋଜ ଦାସ, ପଦ୍ମଶ୍ରୀ ଅପୂର୍ବ କିଶୋର ବୀର, ପଦ୍ମଶ୍ରୀ ଡ. ସୁବ୍ରତ ଆଚାର୍ଯ୍ୟ, ପଦ୍ମଶ୍ରୀ ରାଧାମୋହନ, ଚିନ୍ତାମଣି ବେହେରା, ଗୋବିନ୍ଦ ସେନାପତି-ସ୍ବର୍ଗ ବା କେହି କେହି ଏବେ ବି ମର୍ତ୍ତ୍ୟରେ ଥାଇ ମର୍ମାହତ। କ୍ଷେତ୍ରରେ ଘଟିଥିବା ଘଟଣାର ଅନୁସନ୍ଧାନ କରିବାକୁ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ପୋଲିସ ବିଭାଗ କାର୍ଯ୍ୟରତ। ମାତ୍ର ଏହି ଘଟଣା ଅନ୍ତରାଳରେ ଥିବା ବ୍ୟବସ୍ଥାଗତ ତ୍ରୁଟି ସର୍ବସମକ୍ଷରେ ଆଣିବା ଏହି ପ୍ରବନ୍ଧର ଉଦ୍ଦେଶ୍ୟ।
ପ୍ରଥମ କାରଣଟି ହେଲା ଉଚ୍ଚଶିକ୍ଷା ବ୍ୟବସ୍ଥାଟି କେବେ ବି ସରକାରୀ ପ୍ରାଧାନ୍ୟ ଲାଭ କରିପାରିନାହିଁ, ଯାହା ଏହାକୁ ମିଳିଥିବା ବଜେଟ-ମଞ୍ଜୁରୀରୁ ଜାଣିହେବ। ଓଡ଼ି଼ଶାର ଏହା ନାମକୁ ଉଚ୍ଚଶିକ୍ଷା, ମାତ୍ର ଗୁରୁତ୍ୱ ଅତି ନୂ୍ୟନ। କୌତୁକର କଥା ବେଶ୍‌ କିଛି ବର୍ଷ ଏହି ବିଭାଗର ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ ପାହ୍ୟା ଦିଆଯାଇ ନ ଥିଲା। ଗୋଳେଇଘାଣ୍ଟି ଯେମିତି ସେମିିତି ଚଳେଇ ନେବାର ନାମ ଉଚ୍ଚଶିକ୍ଷା। ଏହାର ପ୍ରଥମ ଉଦାହରଣ ହେଉଛି ବିଗତ ୨୦ ବର୍ଷ ହେଲା ୬୦ଟି ପାଖାପାଖି ସରକାରୀ ମହାବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷଙ୍କ ଅନୁପସ୍ଥିତି ଓ +୨ ଶିକ୍ଷା ବ୍ୟବସ୍ଥାକୁ +୩ ଶିକ୍ଷା ବ୍ୟବସ୍ଥାରୁ ପୃଥକ୍‌ ନ କରି ଖେଚୁଡ଼ି କରି ରଖିବା। ଫକୀରମୋହନ କଲେଜ ସେହି ଦୁର୍ଦ୍ଦଶାର ଭାଗୀଦାର। ଓଡ଼ିଶାର କୋଣଅନୁକୋଣରେ ଥିବା କ୍ଷୁଦ୍ର କ୍ଷୁଦ୍ର ସରକାରୀ ଅନୁଷ୍ଠାନରେ ନିୟମିତି ମୁଖ୍ୟ ଥିଲା ବେଳେ ସରକାରୀ ମହାବିଦ୍ୟାଳୟମାନ କି ପାପ କଲେ ଯେ ସେମାନଙ୍କୁ ମସ୍ତକହୀନ କରି ରଖାଯାଇଛି? ଭାରପ୍ରାପ୍ତ ଅଧ୍ୟକ୍ଷ ପଦବୀ ବରିଷ୍ଠ କଲେଜ ଶିକ୍ଷକମାନଙ୍କ ପାଇଁ ଏକ ପଦବୀ ନୁହେଁ, ଏକ ସମ୍ମାନ ନୁହେଁ, ଏକ ଅତ୍ୟାଚାର, ଏକ ଅପମାନ। ନିୟମିତ ଓ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ କାର୍ଯ୍ୟଭାର ସମାନ ଥିଲାବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ତାଙ୍କ ନିୟମିତ କ୍ଳାସ୍‌ ନେବା ପାଇଁ ନିଯୁକ୍ତିପତ୍ରରେ ଉଲ୍ଲେଖ କରାଯାଉଛି। ଏଣୁ ଅନେକ ଅଧ୍ୟକ୍ଷ ନା ପ୍ରଶାସନ ସମ୍ଭାଳୁଛନ୍ତି ନା ଶ୍ରେଣୀ ଶିକ୍ଷାଦାନ।
ଫକୀରମୋହନ କଲେଜରେ ଘଟିଥିବା ଘଟଣା ପ୍ରସଙ୍ଗରେ ଆହୁରି କେତୋଟି ବିଷୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପ୍ରତିଶତ ଓ ପରୀକ୍ଷା ହଲ୍‌ ପରି ଶ୍ରେଣୀରେ ପ୍ରବେଶର ସମୟ ସୀମାର ପ୍ରାବଧାନ ନ ଥିବାରୁ ଅନେକ ସମୟରେ ଏହା ମହାଭାରତ ସୃଷ୍ଟିକରେ। ବାସ୍ତବରେ ଏକ ଆଦର୍ଶ ଶିକ୍ଷା ବ୍ୟବସ୍ଥାରେ ଏଗୁଡ଼ିକ ଅପ୍ରସଙ୍ଗ। ମାତ୍ର ଛାତ୍ର ସଂସଦ ନିର୍ବାଚନ ପାଇଁ ଆବଶ୍ୟକ ୭୫ ପ୍ରତିଶତ ଉପସ୍ଥାନର ଆବଶ୍ୟକତା ଆଜି ଅନେକ କୋଳାହଳର କାରଣ। ଏ ବାବଦରେ ମଧ୍ୟ ସରକାରୀ ସ୍ପଷ୍ଟତା ଆସିବା ଦରକାର। ଫକୀରମୋହନ କଲେଜରେ ଘଟିଥିବା ଘଟଣାର ମୁଖ୍ୟ କାରଣ ହେଲା କଲେଜରେ ଦୀର୍ଘଦିନ ଧରି ପ୍ରଚଳିତ ଟ୍ୟୁଟୋରିଆଲ କ୍ଲାସ୍‌ର ବିଲୋପ। ଆଗରୁ ଛାତ୍ରୀଛାତ୍ରମାନଙ୍କ ପାଠ ସମ୍ବନ୍ଧୀୟ ଯାବତୀୟ ସନ୍ଦେହ ମୋଚନ ତଥା ବ୍ୟକ୍ତିଗତ ସ୍ତରରେ ଛାତ୍ରୀଛାତ୍ରମାନଙ୍କ ଅଭାବ, ଅସୁବିଧା, ମାନସିକ ସଙ୍କଟକୁ ପାଖରୁ ଦେଖିବାକୁ ଏହି ଟ୍ୟୁଟୋରିଆଲ କ୍ଲାସ୍‌ ବେଶ୍‌ ସହାୟକ ହେଉଥିଲା। ଖର୍ଚ୍ଚକାଟ ତଥା ଘରୋଇ ଟିଉଶନକୁ ପ୍ରୋତ୍ସାହିତ କରିବାକୁ ଏହି ବ୍ୟବସ୍ଥା ଉଠେଇ ନାମକୁମାତ୍ର ପ୍ରୋକ୍ଟରିଆଲ ବ୍ୟବସ୍ଥାଟିକୁ କାଗଜରେ ରଖି ପାଠ୍ୟ ଓ ଅଣପାଠ୍ୟ ବିଷୟରେ ଉପଲବ୍ଧ ସୁବିଧାରୁ ଛାତ୍ରୀଛାତ୍ରଙ୍କୁ ବଞ୍ଚିତ କରାଯାଉଛି। ଟ୍ୟୁଟୋରିଆଲ ଓ ପ୍ରୋକ୍ଟରିଆଲର ମିଶ୍ରିତ ରୂପଟି ଯଦି ଥାଆନ୍ତା ସୌମ୍ୟାଶ୍ରୀ ଘଟଣା ଆଜି ଏତେବାଟ ଯାଇ ନ ଥାନ୍ତା। ପ୍ରକୃତରେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆବଶ୍ୟକ ଉପସ୍ଥାନ ଭରଣା ପାଇଁ ସଙ୍କଟ ତାଙ୍କୁ ଦୁଃସ୍ଥିତି ଭିତରକୁ ଠେଲି ଦେଇଥିଲା। କଲେଜ ନିର୍ବାଚନ ଥିଲାବେଳେ ଏହି କଥାକୁ ନେଇ କଲେଜରେ ଗଣ୍ଡଗୋଳ ହୁଏ ଏବଂ ଶିକ୍ଷକମାନେ ଡରିମରି ଅବୈଧ ଭାବରେ ଉପସ୍ଥାନ ପୂରଣ କରି ଦିଅନ୍ତି। କଲେଜ ନିର୍ବାଚନ ନ ଥିଲାବେଳେ ଆପାତତଃ ଏହି ଗୋଟିଏ ଦିଗରୁ ବିଶୃଙ୍ଖଳା ଢେର କମିଯାଇଥିଲା। ଏବେ ଏ ବାବଦରେ ସରକାର ଦୃଢ଼ ସ୍ପଷ୍ଟୀକରଣ ରଖିବା ଦରକାର, ନଚେତ୍‌ ନିର୍ବାଚନ ଯଜ୍ଞରେ କିଏ ପୁଣି ଶହୀଦ ହୋଇଯିବ! ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛାତ୍ର ନେତୃତ୍ୱ ନିର୍ମାଣ ପାଇଁ କଲେଜରେ ନିର୍ବାଚନର ଆବଶ୍ୟକତାର ଯେଉଁ ଦ୍ୱାହି ଦିଆଯାଉଛି, ବାସ୍ତବିକ ନିର୍ବାଚନ ହେଉ ନ ଥିବା ଅନୁଷ୍ଠାନ ଯଥା ମେଡିକାଲ, ଇଞ୍ଜିନିୟରିଂ, ଏମ୍‌ବିଏର ଛାତ୍ରୀଛାତ୍ର ଆଜି ପ୍ରମୁଖ ରାଜନେତା ବା ବରିଷ୍ଠ ପ୍ରଶାସକ ହେବା ଏହାକୁ ଭୁଲ୍‌ ପ୍ରମାଣିତ କରୁଛି।
ସୌମ୍ୟାଶ୍ରୀଙ୍କୁ ନେଇ ଘଟିଥିବା ଘଟଣା ଅନ୍ୟ ଏକ କ୍ଷେତ୍ରରୁ ମଧ୍ୟ ଆସିପାରେ। ତା’ହେଲା ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ଓ ତା’ର ଧରପଗଡ଼। ମନେପଡୁଛି ଏକ ସରକାରୀ କଲେଜର କଥା। ପିଲାଟି ତା’ ଶାର୍ଟର ହାତର ଭିତର ପାଖରେ କିଛି ଲେଖି ଆଣିଥିଲା। ପରୀକ୍ଷା ହଲ୍‌ରେ ବିଚରା ଧରାପଡ଼ିଲା। ତା’ର ଶାର୍ଟଟି ଅସଦ ଉପାୟ ଅବଲମ୍ବନର ଏକ ପ୍ରମାଣ ହୋଇଥିବାରୁ ତତ୍‌କ୍ଷଣାତ୍‌ ତାକୁ ଶାର୍ଟମୁକ୍ତ କରେଇ ତା’ ମୁକୁଳା ଦେହକୁ ଏକ ତଉଲିଆରେ ଢାଙ୍କି ଦିଆଗଲା। ଭିନ୍ନ ଘଟଣାରେ ସୌମ୍ୟାଶ୍ରୀ ଉପତ୍ୀଡ଼ିତ ହେଲା ପରି ପରୀକ୍ଷା ହଲ୍‌ ଭିତରେ ୩ଘଣ୍ଟାର ଏହି ନିର୍ଯାତନା ଛାତ୍ରଟି ପାଇଁ ଅସହ୍ୟ ହୋଇପଡି଼ଲା। ପରୀକ୍ଷା ସରିବାର ଘଣ୍ଟେ, ଦେଢ଼ଘଣ୍ଟା ମଧ୍ୟରେ ଛାତ୍ରଟି ନିକଟତମ ରେଳଲାଇନରେ ଆତ୍ମାହୁତି ଦେଲା।
ଗୋଟିଏ ପରିବାରର ଦୁଃଖ ଆହୁରି କିଛି ଅଧିକ ଭୟାନକ ଦୃଶ୍ୟ ଅନ୍ୟ କେତେକ ପରିବାରରେ ସୃଷ୍ଟି ନ କରୁ। କିନ୍ତୁ ସେ ପ୍ରକାର ଏକ ସମ୍ଭାବନା ଦେଖାଦେଉଛି। ସୌମ୍ୟାଶ୍ରୀଙ୍କ ଅଭିଯୋଗର ସତ୍ୟତା ପରଖିଥିବା ଆଭ୍ୟନ୍ତରୀଣ କମିଟି ସଦସ୍ୟମାନେ ସେହିପରି ସଙ୍କଟ ଆଡ଼କୁ ଯାଉଛନ୍ତି। କମିଟିରେ ଥିବା ୯ଜଣ ମଧ୍ୟରୁ ୩ଜଣ ଥିଲେ କଲେଜର ଅଧ୍ୟାପିକା, ଜଣେ ଅଣଶିକ୍ଷକ ମହିଳା କର୍ମଚାରୀ, ୩ଜଣ ଛାତ୍ରୀ ଓ ଜଣେ ଅଣଶିକ୍ଷକ ପୁରୁଷ କର୍ମଚାରୀ ଓ ଜଣେ ବାହାର ମହିଳା ସମାଜସେବୀ। ଏବେ କଲେଜର ୪ ମହିଳା କର୍ମଚାରୀ ଓ ଜଣେ ପୁରୁଷ କର୍ମଚାରୀଙ୍କ ମୁଣ୍ଡ ଉପରେ ଖଣ୍ଡା। ଏମାନେ ସମସ୍ତେ ଶିକ୍ଷକ ବା ଅନୁଷ୍ଠାନର କର୍ମଚାରୀ। ଏମାନେ ଏପରି ଅପାତତଃ ଆପରାଧିକ କାର୍ଯ୍ୟର ଅନୁସନ୍ଧାନ ପାଇଁ ତାଲିମପ୍ରାପ୍ତ ନୁହନ୍ତି। ପୂର୍ବ ଅଭିଜ୍ଞତା ମଧ୍ୟ ନାହିଁ। ଅନୁସନ୍ଧାନର ଧାରାଗୁଡ଼ିକ କ’ଣ ହେବ, କ୍ରମ କ’ଣ ହେବ, କେଉଁ କେଉଁ ପ୍ରଶ୍ନ ପଚାରି ସତ୍ୟ ଉନ୍ମୋଚିତ କରାଯାଇପାରିବ, ଏ ସମ୍ବନ୍ଧୀୟ ଜ୍ଞାନ ଏମାନଙ୍କ ନାହିଁ। କମିଟିରେ କୌଣସି ଅବସରପ୍ରାପ୍ତ ପୋଲିସ ଅଫିସର ବା ଜିଲାସ୍ତରୀୟ ସରକାରୀ ଓକିଲ ଏମାନଙ୍କୁ ଦିଗ୍‌ଦର୍ଶନ ଦେବାକୁ ନ ଥିଲେ। ୯୦ ଦିନର ସମୟ ସୀମା ବଦଳରେ ୯ ଦିନରେ ଏମାନେ ଚାପରେ ରିପୋର୍ଟ ଦେଲେ। ଅଣପେସାଦାର ବ୍ୟକ୍ତିମାନଙ୍କ ଦ୍ୱାରା ଆପରାଧିକ ମାମଲାରେ ତଦନ୍ତ କରାଇବା କେତେଦୂର ଯୁକ୍ତିଯୁକ୍ତ? ତେଣୁ ସରକାର ଏହି କମିଟି ଗଠନ କିପରି ପାରଦର୍ଶୀ ହୋଇପାରିବ, ଭବିଷ୍ୟତରେ କେହି ଏ କମିଟିର ସଦସ୍ୟ ହେବାକୁ ଯେପରି ଅମଙ୍ଗ ହେବେନାହିଁ, ତାହା ବିଚାର କରିବା ଉଚିତ।
ସତ୍ୟ ଓ ଅର୍ଦ୍ଧସତ୍ୟ ଭିତରେ ପାର୍ଥକ୍ୟରେଖା ବହୁତ କ୍ଷୀଣ। ସତ୍ୟ ନାମରେ ବହୁ ଅର୍ଦ୍ଧସତ୍ୟ ଗଣମାଧ୍ୟମରେ ଘୂରି ବୁଲୁଛି। ଆଶା କରାଯାଏ ପାଣି କ୍ଷୀରର ଭ୍ରମ ସୃଷ୍ଟି କରିବ ନାହିଁ ଏବଂ ଫକୀରମୋହନ କଲେଜ ତା’ ପୂର୍ବଗୌରବ ଫେରିପାଇବ।

ଡ. ସୁବାସ ଚନ୍ଦ୍ର ପାତ୍ର
ପୂର୍ବତନ ଅଧ୍ୟକ୍ଷ
ଜେଲ୍‌ ରୋଡ୍‌, ବାଲେଶ୍ୱର
ମୋ: ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri