Categories: ଜାତୀୟ

ବ୍ୟବସାୟୀଙ୍କ ହତ୍ୟା ମାମଲରେ ସଚିନ ଓ୍ବାଜେ ମୁଖ୍ୟ ଅଭିଯୁକ୍ତ : ମହାରାଷ୍ଟ୍ର ଏଟିଏସ୍‌

ନୂଆଦିଲ୍ଲୀ,୨୩।୩: ବ୍ୟବସାୟୀ ମନସୁଖ ହିରନଙ୍କ ହତ୍ୟା ମାମଲାରେ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ସଚିନ ଓ୍ବାଜେ ମୁଖ୍ୟ ଅଭିଯୁକ୍ତ। ଏ ନେଇ ମହାରାଷ୍ଟ୍ର ଆଣ୍ଟି ଟେରରିଜମ ସ୍କ୍ବାଡ (ଏଟିଏସ୍‌) ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ଖବରଦାତା ସମ୍ମିଳନୀରେ ମହାରାଷ୍ଟ୍ର ଏଟିଏସ୍‌ ଡିଜି ଜୟ ସିଂ କହିଛନ୍ତି, ହିରନଙ୍କ ମୃତ୍ୟୁ ପଛରେ ଓ୍ବାଜେଙ୍କ ଭୂମିକା ଥିବା ପ୍ରମାଣ କରିବା ପାଇଁ ଆମ ନିକଟରେ ଯଥେଷ୍ଟ ତଥ୍ୟ ରହିଛି।

ଚଳିତ ମାସ ୪ ତାରିଖରେ ହିରନଙ୍କୁ ରାତି ୮.୨୦ ଏକ ଫୋନ କଲ ଆସିଥିଲା। ଯାହା ଫଳରେ ସେ ଘରୁ ବାହାରିଥିଲେ। ତାଙ୍କୁ ଚଳନ୍ତା କାରରେ ହତ୍ୟା କରାଯିବା ପରେ ମୃତଦେହକୁ ମୁମ୍ବରା କ୍ରିକ୍‌ରେ ଫୋପାଡ଼ି ଦିଆଯାଇଥିଲା। ଏହାର ପର ଦିନ ହରିନଙ୍କ ମୃତଦେହ ମିଳିଥିଲା ପୋଲିସକୁ। ତଦନ୍ତର ପୂରା ତଥ୍ୟ ଦେଇ ଏଟିଏସ୍‌ ଡିଜି କହିଛନ୍ତି, ହିରନଙ୍କୁ ଘରୁ ବାହାରକୁ ଡାକିବା ପାଇଁ ବ୍ୟବହୃତ ହୋଇଥିବା ସିମ ମଧ୍ୟ ଜବତ କରାଯାଇଛି।

ଓ୍ବାଜେଙ୍କ ନିର୍ଦ୍ଦେଶ କ୍ରମେ ବୁକି ନରେଶ ଗୌର ସିମଗୁଡ଼ିକୁ ବାଣ୍ଟିଥିଲେ। ଆଉ ଏସବୁ ଥିଲା ଷଡ଼ଯନ୍ତ୍ରର ଅଂଶ। ଏହି ହତ୍ୟା ମାମଲରେ ଆଉ ଜଣେ ସସ୍‌ପେଣ୍ଡ ପୋଲିସ ଅଧିକାରୀ ବିନାୟକ ଶିନ୍ଦେ ମଧ୍ୟ ଜଡ଼ିତ ଥିଲେ। ଉଭୟ ଶିନ୍ଦେ ଓ ଗୌରଙ୍କୁ ୨୫ ତାରିଖରେ ଗିରଫ କରିଥିଲା ଏଟିଏସ୍‌। ଅପରାଧ ଲୁଚାଇବା ପାଇଁ ସିମ କାର୍ଡ ଓ ସିସିଟିଭି ଫୁଟେଜକୁ ନଷ୍ଟ କରିଦେଇଥିଲେ ଓ୍ବାଜେ। ପଚରାଉଚୁରା ବେଳେ ସେ ଏହି ଘଟଣାରେ ସମ୍ପୃକ୍ତି ଥିବା ମନା କରିଥିଲେ। ଆମକୁ ଅଧିକ ତଦନ୍ତ ପାଇଁ ଓ୍ବାଜେଙ୍କ କଷ୍ଟଡି ଦରକାର। ଅମ୍ବାନି ଘର ସମ୍ମୁଖରେ ମିଳିଥିବା ବିସ୍ଫୋରକ ଭର୍ତ୍ତି ଏସ୍‌ୟୁଭି ମାମଲାର ତଦନ୍ତ କରୁଥିବା ଏନ୍‌ଆଇଏ ହେପାଜତରେ ଅଛନ୍ତି ଓ୍ବାଜେ।

Share