ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଟି-୨୦ ଦଳରେ ସାମିଲ ହୋଇଥିବା ବୈଭବଙ୍କୁ ମାତ୍ର ୨ଟି ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା। ଏଥିମଧ୍ୟରୁ ଗୋଟିଏ ମ୍ୟାଚ୍ରେ ସେ ନିଜ ବ୍ୟାଟିଂର ଚମକ ଦେଖାଇଥିଲେ। ଏବେ ନଭେମ୍ବର ୧୯ରୁ କତାରରେ ଆରମ୍ଭ ହେବାକୁ ଥିବା ଇମର୍ଜିଂ ଏସିଆ କପ୍ରେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ।
ନଭେମ୍ବର ୩ ତାରିଖରେ ରେଡିଟ୍ରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସଚିନ ତେନ୍ଦୁଲକର। ଏହି ସମୟରେ ଜଣେ ପ୍ରଶଂସକ ବୈଭବଙ୍କୁ ମାତ୍ର ୧୫ ବର୍ଷ ବୟସରେ ନେତୃତ୍ୱ ଦାୟିତ୍ୱ ଦିଆଯିବା ସମ୍ପର୍କରେ ସଚିନଙ୍କ ମତାମତ ପଚାରିଥିଲେ।
ଏହାର ଉତ୍ତରରେ ସଚିନ କହିଥିଲେ ଯେ, ଦୁଲୀପ ଟ୍ରଫିରେ ବୈଭବଙ୍କୁ ଉପଅଧିନାୟକ କରିବା ଟିକେ ତରବରିଆ ନିଷ୍ପତ୍ତି ଥିଲା। ତାଙ୍କୁ ପ୍ରଥମେ ରେଡ ବଲ କ୍ରିକେଟ୍ରେ ଅଧିକ ମ୍ୟାଚ ଖେଳିବାକୁ ଦିଆଯିବା ଆବଶ୍ୟକ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାକୁ ତାଙ୍କୁ ସୁଯୋଗ ମିଳିବା ଉଚିତ। ଯୁବ ଖେଳାଳିଙ୍କ ଉପରେ ଅତିରିକ୍ତ ଦାୟିତ୍ୱ ଦେବା ପରିବର୍ତ୍ତେ ତାଙ୍କ ଖେଳର ବିକାଶ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ଏହି କାର୍ଯ୍ୟକ୍ରମରେ ଏକାଗ୍ରତା ବଢ଼ାଇବା ସମ୍ପର୍କରେ ମଧ୍ୟ ସଚିନ ନିଜର ମତ ରଖିଥିଲେ। କିଛି ସମୟ ପାଇଁ ଆଖି ବନ୍ଦ କରି କେବଳ ନିଜ ଶ୍ୱାସକ୍ରିୟା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଅନ୍ୟମନସ୍କତା ଦୂର କରି ଏକାଗ୍ରତା ବଢ଼ାଇ ହେବ ବୋଲି ସଚିନ କହିଥିଲେ।
ଆଗାମୀ ନଭେମ୍ବର ୧୯ରୁ କତାରରେ ଖେଳାଯିବାକୁ ଥିବା ଇମର୍ଜିଂ ଏସିଆ କପ ପାଇଁ ବିସିସିଆଇ ପକ୍ଷରୁ ତିଳକ ବର୍ମାଙ୍କ ନେତୃତ୍ୱରେ ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଅଭିଷେକ ଶର୍ମାଙ୍କୁ ମଧ୍ୟ ସ୍ଥାନ ମିଳିଛି। ଏହି ଟୁର୍ନାମେଣ୍ଟ ବୈଭବଙ୍କ ପାଇଁ ନିଜର ପ୍ରତିଭା ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ ହେବ। ଅଭିଷେକ ଶର୍ମାଙ୍କ ସହ ସେ ଓପନିଂ କରିବାର ସମ୍ଭାବନା ରହିଛି। ଏଠାରେ ଭଲ ପ୍ରଦର୍ଶନ କରିପାରିଲେ ଭବିଷ୍ୟତରେ ଭାରତୀୟ ସିନିୟର ଦଳରେ ଓପନର୍ ଭାବେ ନିଜ ଦାବିକୁ ଆହୁରି ମଜଭୁତ କରିପାରିବେ।
ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୦ଟି ଟି-୨୦ ମ୍ୟାଚ ଖେଳିସାରିଥିବା ବୈଭବଙ୍କୁ ନେଇ ବିଶ୍ୱ କ୍ରିକେଟ୍ରେ ଚର୍ଚ୍ଚା ଜାରି ରହିଛି। ତେବେ ସଚିନଙ୍କ ପରାମର୍ଶ ଯୁବ ତାରକାଙ୍କ କ୍ରିକେଟ ଯାତ୍ରାରେ ଅଭିଜ୍ଞତା ଓ ଧୈର୍ଯ୍ୟର ଗୁରୁତ୍ୱକୁ ପୁଣିଥରେ ସାମ୍ନାକୁ ଆଣିଛି।