Categories: ଖେଳ

ଭାବୁକ ହେଲେ ସଚିନ, କହିଲେ ଏଭଳି ଲୋକଙ୍କ ପାଇଁ ଦୁନିଆ…

ନୂଆଦିଲ୍ଲୀ,୧୮।୧୧: ଭାବୁକ ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ଦୁର୍ଘଟଣାରେ ଗୁରୁତର ହୋଇଥିବା ଘନିଷ୍ଠ ବନ୍ଧୁଙ୍କ ଜୀବନ ରକ୍ଷା କରିଥିବାରୁ ସେ ଜଣେ ଟ୍ରାଫିକ ପୋଲିସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ମାନବିକ ଦିଗକୁ ଆଗରେ ରଖି ଡ୍ୟୁଟି ବାହାରେ ଯାଇ ସହାୟତା କରିଥିବା ନେଇ ସଚିନ ଟୁଇଟ କରି ପ୍ରଶଂସା କରିଛନ୍ତି। ଏହିଭଳି ଲୋକଙ୍କ ପାଇଁ ଦୁନିଆ ଏକ ସୁନ୍ଦର ସ୍ଥାନ ବୋଲି ସେ ଟିପ୍ପଣୀ ଦେଇଛନ୍ତି।

ଟୁଇଟ୍‌ରେ ବିସ୍ତୁତ ଭାବେ ଏକ ନୋଟ୍‌ ଲେଖି ସଚିନ କହିଛନ୍ତି, କିଛି ଦିନ ପୂର୍ବରୁ ମୋର ବନ୍ଧୁ ଏକ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଭଗବାନଙ୍କ କୃପାରୁ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଜଣେ ଟ୍ରାଫିକ ପୋଲିସଙ୍କ ସହାୟତା ଯୋଗୁ ଏହା ସମ୍ଭବ ହୋଇପାରିଛି। ଦୁର୍ଘଟଣାରେ ଆହତ ବନ୍ଧୁଙ୍କୁ ସେ ତୁରନ୍ତ ଅଟୋରେ ଡାକ୍ତରଖାନାକୁ ନେଇଥିଲେ। ଏହି ସମୟରେ ତାଙ୍କର କ୍ଷତିଗ୍ରସ୍ତ ହୋଇଥିବା ମେରୁଦଣ୍ଡ ଆଉ ଯେପରି କ୍ଷତି ହେବ ନାହିଁ ପୋଲିସକର୍ମୀ ତାହା ନିଶ୍ଚିତ କରିଥିଲେ।ଏହା ଜାଣିବା ପରେ ବ୍ୟକ୍ତିଗତ ଭାବେ ଉକ୍ତ ପୋଲିସକର୍ମୀଙ୍କୁ ଭେଟି ବନ୍ଧୁଙ୍କ ସହାୟତା ଲାଗି ଆଗକୁ ଆସିଥିବାରୁ ଧନ୍ୟବାଦ ଜଣାଇଥିଲି। ଆମ ଚାରିପାଖରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ଡ୍ୟୁଟି ବାହାରେ ଅନ୍ୟମାନଙ୍କୁ ସାହାର୍ଯ୍ୟ କରନ୍ତି। ଏଭଳି ଲୋକଙ୍କ ପାଇଁ ଦୁନିଆ ଏକ ସୁନ୍ଦର ସ୍ଥାନ। ଜନସାଧାରଣମାନେ ଏଭଳି ସେବା କରିଥିବା ଲୋକଙ୍କୁ ଧନ୍ୟବାଦ ଦେବା ଲାଗି କିଛି ସମୟ ବାହାର କରିବା ଉଚିତ ବୋଲି ସଚିନ କହିଛନ୍ତି।

Share