ଏହି ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ସଚିନ ତେନ୍ଦୁଲକର

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ‘ଶାବାସ ମିଠୁ’ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରକୁ ସୋସିଆଲ ମିଡିଆରେ ଭଲ ପ୍ରତିକ୍ରିୟା ମିଳୁଛି। ଫିଲ୍ମରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମିତାଲିଙ୍କ ଭୂମିକାରେ ଅଭିନୟ କରୁଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ପୂର୍ବତନ ଭାରତୀୟ ଖେଳାଳି ସଚିନ ତେନ୍ଦୁଲକର ଏହି ଫିଲ୍ମକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସଚିନଙ୍କୁ ‘ଶାବାସ ମିଠୁ’ର ଟ୍ରେଲର ପସନ୍ଦ ଆସିଛି। ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ତରଫରୁ ଟୁଇଟରରେ ଶେୟାର କରାଯାଇଥିବା ‘ଶାବାସ ମିଠୁ’ ଟ୍ରେଲରକୁ ରିଟୁଇଟ୍‌ କରି ସଚିନ ଲେଖିଛନ୍ତି, ‘ଶାବାସ ମିଠୁ’ ଫିଲ୍ମର ଟ୍ରେଲର ହୃଦୟକୁ ଛୁଇଁଛି। ମିତାଲି ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବପ୍ନ ଦେଖିବା ଏବଂ ଉତ୍ସାହକୁ ଅନୁସରଣ କରିବାକୁ ପ୍ରେରଣା ଦେଇଛନ୍ତି। ମୁଁ ଏହି ଫିଲ୍ମ ଦେଖିବାକୁ ବହୁତ ଉତ୍ସାହିତ ଅଛି। ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି।
ଭାରତୀୟ ମହିଳା ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ‘ଶାବାସ ମିଠୁ’ର କାହାଣୀ ଆଧାରିତ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ଢୋଲକିଆ। ଜୁଲାଇ ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମଟି ମିତାଲି ରାଜଙ୍କ ପିଲାଦିନରୁ କ୍ରିକେଟର ହେବା ପର୍ଯ୍ୟନ୍ତ ସଂଗ୍ରାମକୁ ନେଇ ପର୍ଯ୍ୟବେସିତ ହୋଇଛି।
ନିକଟରେ ଭାରତୀୟ କ୍ରିକେଟର ଶ୍ରେଷ୍ଠ ମହିଳା ବ୍ୟାଟ୍ସମ୍ୟାନ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

Share