Categories: ଖେଳ

ଦୀପ୍ତିଙ୍କ ସ୍ବପ୍ନ ପୂରଣ କରିବେ ସଚିନ ତେନ୍ଦୁଲକର

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଜଣେ ଯୁବତୀଙ୍କ ସ୍ବପ୍ନ ପୂରଣ କରିବାକୁ ଆଗେଇ ଆସିଛନ୍ତି। ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ରତ୍ନାଗିରିର ୧୯ ବର୍ଷ ବୟସ୍କା ଦୀପ୍ତି ବିଶ୍ୱସ୍ବରାୟଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସଚିନ ସାହାଯ୍ୟର ହାତ ବଢାଇଛନ୍ତି। ଯଦି ଦୀପ୍ତିଙ୍କ ସ୍ବପ୍ନ ସାକାର ହୁଏ ତେବେ ସେ ରତ୍ନାଗିରିର ଝରେ ଗାଁର ପ୍ରଥମ ଡାକ୍ତର ହେବେ। ଏଥିପାଇଁ ସେ ଦିନରାତି କାମ କରୁଥିଲେ। କିନ୍ତୁ ଦୀପ୍ତି ତାଙ୍କ ସ୍ବପ୍ନକୁ ସାକାର କରିବାରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୀପ୍ତିଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ତେନ୍ଦୁଲକର ଏବଂ ତାଙ୍କ ସଂଗଠନ ‘ସେବା ସହଯୋଗ ଫାଉଣ୍ଡେସନ’ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏକ କୃଷକ ପରିବାରରେ ଜନ୍ମ ହୋଇଥିବା ଦୀପ୍ତିଙ୍କୁ ଲକ୍‌ଡାଉନ ସମୟରେ ନେଟୱାର୍କ ଖୋଜିବା ପାଇଁ ଅନେକ କିଲୋମିଟର ଚାଲିବାକୁ ପଡୁଥିଲା। ନେଟୱାର୍କ ସମସ୍ୟା ଯୋଗୁ ତାଙ୍କୁ ପାଇଁ ଅନଲାଇନ କ୍ଲାସରେ ଯୋଗଦେବା କଷ୍ଟକର ହୋଇପଡିଥିଲା। ତେଣୁ ସେ ଏପରି ଏକ ସ୍ଥାନକୁ ଯିବାକୁ ସ୍ଥିର କଲେ ଯେଉଁଠାରେ ମୋବାଇଲ ନେଟୱାର୍କ ଉପଲବ୍ଧ ଥିବ। ନ୍ୟାଶନାଲ୍‌ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ରେ ୭୨୦ ମଧ୍ୟରୁ ୫୭୪ମାର୍କ ରଖିଛନ୍ତି ଦୀପ୍ତି। ସେ ଆକୋଲାସ୍ଥିତ ଏକ ସରକାରୀ ମେଡିକାଲ କଲେଜରେ ଆଡମିଶନ ନେଇଥିଲେ, କିନ୍ତୁ ତାଙ୍କ ପରିବାର ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସମ୍ପର୍କୀୟ ତଥା ପଡ଼ୋଶୀମାନଙ୍କଠାରୁ ରୁଣ ନେଇ ପରିବାର ତାଙ୍କୁ ଆଡମିଶନ ଫି ପ୍ରଦାନ କରିଥିଲେ, କିନ୍ତୁ ଦୀପ୍ତି ହଷ୍ଟେଲ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଦେଇପାରି ନ ଥିଲେ। ଏହା ଜାଣିବା ପରେ ତେନ୍ଦୁଲକର ଏହି ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।
ଦୀପ୍ତି କହିଛନ୍ତି, ମୋତେ ଛାତ୍ରବୃତ୍ତି ପ୍ରଦାନ କରିଥିବାରୁ ମୁଁ ସଚିନ ତେନ୍ଦୁଲକର ଫାଉଣ୍ଡେସନ ନିକଟରେ କୃତଜ୍ଞ। ଏହି ଛାତ୍ରବୃତ୍ତି ମୋ ଅଧ୍ୟୟନ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ। ତେଣୁ ଏବେ ମୁଁ କେବଳ ଅଧ୍ୟୟନ ଉପରେ ଧ୍ୟାନ ଦେଇ ପାରିବି। ଭବିଷ୍ୟତରେ ମୁଁ ଅନେକ ସମ୍ମାନଜନକ ଏବଂ ଅଭାବୀ ଛାତ୍ରମାନଙ୍କୁ ସେମାନଙ୍କର ସ୍ବପ୍ନ ପୂରଣ କରିବାକୁ ଏବଂ ଏଥିପାଇଁ କଠିନ ପରିଶ୍ରମ କରିବାକୁ ସାହାଯ୍ୟ କରିବି ବୋଲି ମୁଁ ପ୍ରତିଶୃତି ଦେଉଛି ବୋଲି ସେ କହିଛନ୍ତି।
ଗତ ୧୨ ବର୍ଷ ମଧ୍ୟରେ, ତେନ୍ଦୁଲକର ସଂଗଠନ ଚାରିଟି ରାଜ୍ୟର ୨୪ଟି ଜିଲାର ୮୩୩ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି। ତେନ୍ଦୁଲକର ଟୁଇଟ୍‌ କରି କହିଛନ୍ତି, ଦିପ୍ତୀଙ୍କ କାହାଣୀ ଅନେକଙ୍କୁ ସେମାନଙ୍କ ଲକ୍ଷ୍ୟ ଦିଗରେ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇବ। ଭବିଷ୍ୟତ ପାଇଁ ଦୀପ୍ତିଙ୍କୁ ମୋର ଶୁଭେଚ୍ଛାପ୍‌ ବୋଲି ସେ କହିଛନ୍ତି।

Share