Categories: ଜାତୀୟ

କେବଳ ସଚିନ ନୁହଁନ୍ତି, ବାପା ରାଜେଶ ମଧ୍ୟ କରିଥିଲେ ଗାନ୍ଧୀ ପରିବାର ବିରୋଧରେ ବିଦ୍ରୋହ: ଗେହଲଟଙ୍କ ସହ ଭଲ ନୁହେଁ ସମ୍ପର୍କ

ନୂଆଦିଲ୍ଲୀ,୧୫।୭: ରାଜସ୍ଥାନରେ ଗେହଲଟ ସରକାରଙ୍କ ବିରୋଧରେ ବିଦ୍ରୋହ କରି ବିଦା ହୋଇଛନ୍ତି ସଚିନ ପାଇଲଟ। ଏହି ନେତାଙ୍କୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଛି। କେବଳ ସଚିନ ନୁହନ୍ତି ତାଙ୍କ ଅନୁଗତ ବିଶ୍ୱବେନ୍ଦ୍ର ସିଂ ଓ ରମେଶ ମିନାଙ୍କୁ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ରୁ ବରଖାସ୍ତ କରାଯାଇଛି। ଏସବୁ ଭିତରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନ୍ୟ ଏକ ଚର୍ଚ୍ଚା ଜୋର ଧରିଛି।

ସଚିନଙ୍କ ଭଳି ତାଙ୍କ ବାପା ରାଜେଶ ମଧ୍ୟ କଂଗ୍ରେସରେ ଥିବା ବେଳେ ବିଦ୍ରୋହ କରିଥିଲେ। ହେଲେ ସେ ଶେଷ ସମୟ ପର୍ଯ୍ୟନ୍ତ ଦଳରେ ହିଁ ରହିଥିଲେ। ବାୟୁସେନାରେ ଥିବା ରାଜେଶ ଗାନ୍ଧି ପରିବାର ସହ ଜଡିତ ହେବା ପରେ ରାଜନୀତିରେ ପାଦ ରଖିଥିଲେ। ହେଲେ ଏକଦା ସେ ବିଦ୍ରୋହ କରିବାକୁ ପଛାଇ ନ ଥିଲେ।

୧୯୯୭ରେ ରାଜେଶଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବଛାଯାଇଥିଲା। ହେଲେ ସେ ସୀତାରାମ କେଶରୀଙ୍କଠାରୁ ହାରି ଯାଇଥିଲେ। ପରେ ୨୦୦୦ ମସିହାରେ ବିଦ୍ରୋହୀ ନେତା ଜିତେନ୍ଦ୍ର ପ୍ରସାଦ ସୋନିଆଙ୍କ ବିରୋଧରେ ଅଧ୍ୟକ୍ଷ ପଦ ପାଇଁ ଛିଡ଼ା ହୋଇଥିଲେ। ଏଥିରେ ରାଜେଶ ଗାନ୍ଧୀ ପରିବାରକୁ ସମର୍ଥନ କରି ନ ଥିଲେ। ସମର୍ଥନ ଦେବା ସତ୍ତ୍ୱେ ସୋନିଆ ଜିତେନ୍ଦ୍ରଙ୍କୁ ହରାଇ ଅଧ୍ୟକ୍ଷ ହୋଇଥିଲେ।

କୁହାଯାଏ ସଚିନଙ୍କ ବାପା ରାଜେଶ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନୁହେଁ। ସେ ସର୍ବଦା ଗେହଲଟଙ୍କୁ ଛାଡ଼ି ସମକକ୍ଷ ଅନ୍ୟ ନେତାଙ୍କୁ ପ୍ରାଧାନ୍ୟ ଦେଇଥାନ୍ତି। ପୂର୍ବରୁ ଏଭଳି ଚାଲି ଆସିଛି। ୧୯୯୩ରେ ରାଜ୍ୟମନ୍ତ୍ରୀ ଥିବା ରାଜେଶ ଜୋଧପୁରରେ ଏକ ଡାକଘର ଉଦ୍‌ଘାଟନରେ ଯାଇଥିଲେ। ଗେହଲଟ୍‌ ଯୋଧପୁରର ସାଂସଦ ଥିଲେ ହେଁ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇ ନ ଥିଲା। ଏହାକୁ ନେଇ ଗେହଲଟଙ୍କ ସମର୍ଥନ ହଙ୍ଗାମା କରିଥିଲେ। ଉକ୍ତ ବର୍ଷ ଗେହଲଟଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଥିଲା।

Share