Categories: ଜାତୀୟ

ସଚିନ ପାଇଲଟଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୪: ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ନେତା ସଚିନ ପାଇଲଟ ଗୁରୁବାର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ବିଭିନ୍ନ ରାଜ୍ୟରେ କଂଗ୍ରେସ ପରାଜିତ ହେଉଥିବାରୁ ଏହି ଧାରାକୁ ଭାଙ୍ଗି କିପରି ରାଜସ୍ଥାନରେ ପୁନର୍ବାର ଦଳ କ୍ଷମତାକୁ ଆସିବ ସେ ନେଇ ଆଲୋଚନା ହୋଇଥିବା ସଚିନ କହିଛନ୍ତି।

ଦଳରେ ସଚିନଙ୍କ ଭବିଷ୍ୟତ ଭୂମିକା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ସେ ରାଜସ୍ଥାନ କଂଗ୍ରେସ ସଭାପତି ଏବଂ ଉପମୁଖ୍ୟମନ୍ତ୍ରୀ ଥିଲେ। ୨୦୨୦ରେ ଦଳରେ ବିଦ୍ରୋହ ପାଇଁ ତାଙ୍କୁ ଉଭୟ ପଦବୀ ହରାଇବାକୁ ପଡ଼ିଥିଲା। ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ବଦଳରେ ଜାତୀୟ ସ୍ତରରେ କୌଣସି ଦାୟିତ୍ୱ ଦିଆଗଲେ ଗ୍ରହଣ କରିବେ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ନିଜ ରାଜ୍ୟକୁ ସେ ନିଶ୍ଚୟ ଗୁରୁତ୍ୱ ଦେବେ। ତେବେ ଯେକୌଣସି ଦାୟିତ୍ୱ ଦିଆଗଲେ ସେ ତାହା ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି।

Share