Categories: ଜାତୀୟ

ମୁଁ କେବେ ମୁଖ୍ୟମନ୍ତ୍ରୀ ପଦ ମାଗି ନଥିଲି: ପାଇଲଟ

ଜୟପୁର,୧୧।୮: ରାଜସ୍ଥାନର ରାଜନୀତିରେ ଚାଲିଥିବା କନ୍ଦଳରେ ଅବସାନ ଘଟିବାକୁ ଯାଉଛି। ସୋମବାର ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିବା ପରେ ତାଙ୍କର ଘରବାହୁଡାକୁ ନେଇ ଆଲୋଚନା ଜାରି ରହିଛି। ତେବେ ପାଇଲଟଙ୍କ ନାଁରେ ପୂର୍ବରୁ ଯେଉଁ ଅଭିଯୋଗ ଆସିଥିଲା କି ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ମାଗିଥିଲେ ଏବେ ପାଇଲଟ ଏହାକୁ ଖଣ୍ଡନ କରିଛନ୍ତି। ସେ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ କହିଛନ୍ତି, ଦେଢ ବର୍ଷ ଆଗରୁ କଂଗ୍ରେସ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା। ମୋତେ ଉପମୁଖ୍ୟମନ୍ତ୍ରୀ ଆସନ ଦିଆଯାଇଥିଲା। ହେଲେ ଆମେ ଯେଉଁଭଳି ଭାବରେ ଯୋଜନା ପ୍ରସ୍ତୁତ କରିଥିଲୁ ସେହି ହିସାବରେ କାମ ନ ହେବାରୁ ମୁଁ ଅସନ୍ତୁଷ୍ଟ ହୋଇଥିଲି। ହେଲେ ମୁଖ୍ୟମନ୍ତ୍ରୀ ପଦ ମୁଁ କେବେ ମାଗି ନାହିଁ ବୋଲି ପାଇଲଟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୋ ଉପରେ ଯେଉଁ ଅଭିଯୋଗ ଆସୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏହାକୁ ନେଇ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଏ ସମ୍ପର୍କରେ ବିଚାର ଆଲୋଚନା କରାଯିବ।

Share