ଘଟଗାଁକୁ ୩୫ ହଜାର ମାନସିକ ନଡ଼ିଆ ପଠାଇଲେ ସବ୍ୟସାଚୀ

ମାନସିକ ନଡ଼ିଆ ସହ ଯୋଡ଼ି ହୋଇ ରହିଥାଏ ମଣିଷର ପ୍ରାର୍ଥନା। ପ୍ରତିଟି ନଡ଼ିଆ ପଛରେ ଏକ ପରିବାରର ଆଶା, ଭରସା ଓ ଖୁସି ଲୁଚି ରହିଥାଏ। ଏଭଳିସ୍ଥଳେ କରୋନା ଲକ୍‌ଡାଉନ୍‌ ଯୋଗୁ ମା’ ତାରିଣୀଙ୍କ ପୀଠକୁ ଯାଇପାରି ନଥିବା ହଜାର ହଜାର ଲୋକଙ୍କ ମାନସିକ ନଡ଼ିଆକୁ ମା’ଙ୍କ ପାଖକୁ ପଠାଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। କାର୍ତ୍ତିକ ପୂର୍ଣ୍ଣମୀରେ ବସ୍ତାବସ୍ତା ନଡ଼ିଆକୁ ଏକାଠି କରି ୨ଟି ଟ୍ରକ୍‌ରେ ମା’ ତାରିଣୀଙ୍କ ପାଖକୁ ପଠାଇଛନ୍ତି। ଭୁବନେଶ୍ୱର, କଟକରେ ଶହ ଶହ ମାନସିକ ନଡ଼ିଆର ପାହାଡ ଗଦା ହୋଇଥିବା ଦେଖି ସବ୍ୟସାଚୀ ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଥିଲେ। ଭୁବନେଶ୍ୱରର ବରମୁଣ୍ଡା, ଫାୟାର୍‌ ଷ୍ଟେଶନ୍‌ ଛକ, ସିଆର୍‌ପି, ଆଚାର୍ଯ୍ୟ ବିହାର, ବାଣୀବିହାର, ରସୁଲଗଡ଼, କଟକର ଅନେକ ସ୍ଥାନ, ଚଣ୍ଡିଖୋଲ ସହ ପାଣିକୋଇଲିରୁ ଏଭଳି ଅଟକି ରହିଥିବା ପାଖାପାଖି ୩୫,୦୦୦ ନଡ଼ିଆକୁ ୩୦୦ ବସ୍ତାରେ ଭର୍ତ୍ତିକରି ୨ଟି ଟ୍ରକ୍‌ ମାଧ୍ୟମରେ ଘଟଗାଁ ପଠାଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଏଭଳି ଏକ ପଦକ୍ଷେପ ନେଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ସବ୍ୟସାଚୀ କହିଛନ୍ତି।

Share