Categories: ଜାତୀୟ

ସବ୍ୟସାଚୀ ପଣ୍ଡାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୩।୧୧: ଓଡ଼ିଶାର ବିଭିନ୍ନ କୋର୍ଟରେ ବିଚାରାଧୀନ ୬୪ ମାମଲାର ତ୍ୱରିତ ଶୁଣାଣି ସକାଶେ ନିର୍ଦ୍ଦେଶ ଦେବା ପାଇଁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଏବଂ ହୃଷୀକୋଶ ରାୟଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୩୨ ଅନୁସାରେ ଏହା ଉପରେ ଆମେ ହସ୍ତକ୍ଷେପ କରିବା ଅନୁଚିତ୍‌। ତେଣୁ ସବ୍ୟସାଚୀଙ୍କ ରିଟ୍‌ ପିଟିସନ୍‌ର ଶୁଣାଣି ହୋଇ ପାରିବ ନାହିଁ।

ତେବେ ତାଙ୍କ ବିରୋଧରେ ଗଡ଼ୁଥିବା ମାମଲାଗୁଡ଼କର ତ୍ୱରିତ ଶୁଣାଣି ବିନାପକ୍ଷପାତରେ କରାଯିବ। ଆବେଦନକାରୀ ଏଥିପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତୁ ବୋଲି ଖଣ୍ଡପୀଠ କହିଥିଲେ। ପ୍ରକାଶ ଯେ, ବିଶ୍ୱହିନ୍ଦୁ ପରିଷଦ ନେତା ସ୍ବାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ସମେତ ତାଙ୍କ ୪ ସହଯୋଗୀଙ୍କୁ ହତ୍ୟା, ନୟାଗଡ଼ ବସ୍ତ୍ରାଗାର ଲୁଟ୍‌ ଏବଂ ଏକାଧିକ ମାଓବଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ସବ୍ୟସାଚୀଙ୍କୁ ୨୦୧୪ ଜୁଲାଇରେ ବ୍ରହ୍ମପୁର ବଡ଼ବଜାର ପୋଲିସ ଏକ ଘରୁ ଗିରଫ କରିଥିଲା। ୨୦୧୯ ମେ’ ବ୍ରହ୍ମପୁର ଆଡିଶନାଲ ଡିଷ୍ଟ୍ରିକ୍‌ ଜଜ୍‌ଙ୍କ ଅଦାଲତ ସବ୍ୟସଚୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲା।

Share