ବିଜେଡି ନେତା ଯଯାତି ହତ୍ୟା ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷ

ଗୁଣପୁର,୩୦ା୮(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଣପୁର ଏଡିଜେ କୋର୍ଟରେ ବିଜେଡି ନେତା ଯଯାତି କେଶରୀ ସାହୁଙ୍କ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ଏହି ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏଡିଜେ ମାନସ ରଞ୍ଜନ ରଥ ସୋମବାର ଏହି ରାୟ ଶୁଣାଇଥିବା ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବିଜେଡି ନେତା ଯଯାତି କେଶରୀ ସାହୁଙ୍କୁ ୨୦୦୨ ନଭେମ୍ବର ୨୬ ରାତିରେ ତାଙ୍କ ବାସଭବନ ନାଇରାଠାରେ ମାଓବାଦୀମାନେ ଘରୁ ଘୋଷାରି ଆଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସବ୍ୟସାଚୀଙ୍କ ସହ ଅନ୍ୟ ଲୋକଙ୍କ ନାମରେ ମାମଲା ହୋଇଥିଲା। ପୂର୍ବରୁ ଅନେକ ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସବ୍ୟସାଚୀଙ୍କ କ୍ଷେତ୍ରରେ ଗୁଣପୁର ଏଡିଜେ କୋର୍ଟରେ ୧୬ଟି ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ସବ୍ୟସାଚୀଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସୂଚନାଯୋଗ୍ୟ, ଯାଯାତିଙ୍କୁ ହତ୍ୟା କରାଯିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସେତେବେଳେ ବିରୋଧୀ ତୁମ୍ବିତୋଫାନ କରିଥିଲେ। ଏହାପରେ ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ସମୟରେ ଏହି ଘଟଣାର ତଦନ୍ତ ମଧ୍ୟ କରାଯାଇଥିଲା। ପରିତାପର ବିଷୟ ହେଲା ଘଟଣାର ୨୦ ବର୍ଷ ପରେ କୋର୍ଟ ରାୟ ପ୍ରକାଶ ପାଇଥିଲେ ମଧ୍ୟ ଆର୍‌ଡିସି ତଦନ୍ତ ରିପୋର୍ଟ ପ୍ରକାଶ ପାଇ ପାରିଲା ନାହିଁ। ଏହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇବା ସହ ଯଯାତୀଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିଛନ୍ତି।