ନୂଆଦିଲ୍ଲୀ,୧୪।୧୧: ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି (ଟ୍ରେଡ୍ ଡିଲ୍) ଖୁବ୍ଶୀଘ୍ର ଚୂଡ଼ାନ୍ତ ହେବା ଆଶା ରହିଛି । ଏହି ଚୁକ୍ତି ସହ ଜଡ଼ିତ ଅଧିକାଂଶ ପ୍ରସଙ୍ଗର ସମାଧାନ ହୋଇସାରିଛି ଏବଂ ଏବେ ଅଳ୍ପ କିଛି ବିଷୟ ଉପରେ ଆଲୋଚନା ବାକି ରହିଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏହି ସୂଚନା ଦେଇଛନ୍ତି।
ଏକ ରିପୋର୍ଟ ଅନୁସାରେ, ଜୟଶଙ୍କର କହିଛନ୍ତି ଯେ ଉଭୟ ଦେଶ ପାଇଁ ଲାଭଦାୟକ ଓ ସନ୍ତୁଳିତ ବାଣିଜ୍ୟ ଚୁକ୍ତି କରିବା ହେଉଛି ଲକ୍ଷ୍ୟ। ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ରହିଛି । ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଏହି ପ୍ରସଙ୍ଗରେ ନିୟମିତ ଆଲୋଚନା ହେଉଥିବା ସେ କହିଛନ୍ତି । ଜୟଶଙ୍କରଙ୍କ କହିବା ଅନୁସାରେ, ଅଧିକାଂଶ ବିଷୟରେ ସହମତି ହୋଇସାରିଛି। ବାକି ରହିଥିବା କିଛି ପ୍ରସଙ୍ଗରେ ଆମେରିକା ପକ୍ଷରୁ ଅଧିକ ପରିବର୍ତ୍ତନ ଆବଶ୍ୟକ ରହିଛି। ତେଣୁ ଏହି ଚୁକ୍ତି ଖୁବ୍ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଭାରତ ଆଶା ରଖିଛି।
ସେ ଆହୁରି କହିଛନ୍ତି, କୌଣସି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଲେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ବଢ଼ିଥାଏ। କେଉଁ ପ୍ରସଙ୍ଗ ଅଟକିଛି ଏବଂ ଚୁକ୍ତି କେବେ ଶେଷ ହେବ, ତାହା ଜାଣିବାକୁ ସମସ୍ତେ ଚାହାନ୍ତି। କିନ୍ତୁ ଆଲୋଚନା ଚାଲିଥିବା ସମୟରେ ଅଧିକାରୀମାନେ ସାଧାରଣତଃ ଏଭଳି ସୂଚନା ସାର୍ବଜନୀନ କରନ୍ତି ନାହିଁ। ପୂର୍ବରୁ ପରମାଣୁ ଚୁକ୍ତି ନେଇ ଆଲୋଚନା ସମୟରେ ମଧ୍ୟ ଏଭଳି ପରିସ୍ଥିତି ଉପୁଜିଥିବା ଜୟଶଙ୍କର ଉଦାହରଣ ଦେଇଛନ୍ତି।