Categories: ଖେଳ

କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଟି-୨୦ ବିଶ୍ୱକପ୍‌ ଦଳରେ ହୋଇଛନ୍ତି ମନୋନୀତ

ନୂଆଦିଲ୍ଲୀ,୧୨।୯: ନେଦରଲ୍ୟାଣ୍ଡର ଭେଟେରାନ କ୍ରିକେଟର ରିୟାନ ଟେନ୍‌ ଡୋସଚାଟେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। ୨୦୨୧ ସିଜନ ଶେଷ ହେବା ପରେ ସେ କ୍ରିକେଟରୁ ବିଦାୟ ନେବେ। ଇଂଲଣ୍ଡ ଘରୋଇ କ୍ରିକେଟ ଏସେକ୍ସର ଦଳ ଏହା ନିଶ୍ଚିତ କରିଛି। ଓମାନ ଏବଂ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ନେଦରଲ୍ୟାଣ୍ଡ ଦଳରେ ୪୧ ବର୍ଷୀୟ ରିୟାନଙ୍କୁ ଚୟନ କରାଯାଇଛି। ପୂର୍ବତନ ଇଂରାଜୀ ଖେଳାଳି ଗ୍ରାହାମ ଗୁଚଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ୨୦୦୩ରେ ରିୟାନ କ୍ରିକେଟରେ ପ୍ରବେଶ କରିଥିଲେ। ସେ ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟ ରେ ଡେବ୍ୟୁ କରିଥିଲେ। ସେ ନେଦରଲ୍ୟାଣ୍ଡ ପାଇଁ ୩୩ଟି ଦିନିକିଆରେ ୧୫୪୧ ରନ ସଂଗ୍ରହ କରି ୫୫ ଉଇକେଟ ନେଇଥିଲେ। ୨୨ ଟି -୨୦ ମ୍ୟାଚରେ ୫୩୩ ରନ ସ୍କୋର କରି ୧୩ ଉଇକେଟ୍‌ ନେଇଛନ୍ତି।
୨୦୧୧ ବିଶ୍ୱକପ ରିଆନଙ୍କ ପାଇଁ ବିଶେଷ ଭାବରେ ସ୍ମରଣୀୟ। ସେ ସେହି ବିଶ୍ୱକପରେ ଭାରତୀୟ ମାଟିରେ ଚମତ୍କାର ଖେଳିଥିଲେ। ୨୦୧୧ ବିଶ୍ୱକପରେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଦଳ ବିପକ୍ଷରେ ରିୟାନ ମଧ୍ୟ ୨ ଶତକ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷରେ ୧୧୯ ରନ ସ୍କୋର କରିବା ସହିତ ସେ ୨ ଉଇକେଟ ନେଇଥିଲେ। ଏଥି ସହିତ ଆୟର୍ଲାଣ୍ଡ ବିପକ୍ଷରେ ୧୦୬ ରନ ସ୍କୋର କରିଥିଲେ। ୨୦୧୬ ରେ, ରିଆନ ଏସେକ୍ସର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ। ଏହା ପରେ ସେ କାଉଣ୍ଟି ଚାମ୍ପିଅନସିପରେ ଦଳର ୨୫ ବର୍ଷର ଅପେକ୍ଷାକୁ ସମାପ୍ତ କରି ଏକ ଐତିହାସିକ ବିଜୟ ଆଣିଥିଲେ।

Share