ରୁଷିଆର ପଛଘୁଞ୍ଚା ସଙ୍କେତ

କିଭ୍‌/ମସ୍କୋ,୨୬ା୩: ବେଲ୍‌ଜିୟମ୍‌ର ବ୍ରସେଲ୍ସରେ ପାଶ୍ଚାତ୍ୟର ନେତାମାନେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ସପକ୍ଷରେ ଏକାଠି ହୋଇ ଜରୁରୀ ସମ୍ମିଳନୀ କରିବାର ଦିନକ ପରେ ଏହାର ସୁଫଳ ଦେଖିବାକୁ ମିଳିଛି। କିଭ୍‌ ଆକ୍ରମଣକୁ ମାସେ ପୂରିଥିବାବେଳେ ନାଟୋ, ଇୟୁ ଏବଂ ଜି-୭ ନେତାମାନେ ମସ୍କୋକୁ ଏକଘରିକିଆ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ରୁଷିଆ ରାସାୟନିକ ଅସ୍ତ୍ର ପ୍ରୟୋଗ କଲେ ନାଟୋ ଏହାର ଜବାବ ଦେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ଏଭଳି ସମୟରେ ରୁଷିଆର ସାମରିକ ବଳ ପଛଘୁଞ୍ଚାର ସଙ୍କେତ ଦେଇଛି।
ୟୁକ୍ରେନୀୟ ସୈନ୍ୟ କିଭ୍‌ ସମେତ ଅନ୍ୟ କେତେକ ସହରକୁ ପୁନଃ ଦଖଲ କରିବାରେ ଲାଗିଛନ୍ତି। ସେମାନେ ରୁଷୀୟ ସୈନ୍ୟଙ୍କୁ ପ୍ରାୟ ୩୫ କି.ମି. ପର୍ଯ୍ୟନ୍ତ ଘଉଡ଼ାଇଦେଇଥିବା କୁହାଯାଉଛି। ଫଳରେ ୟୁକ୍ରେନ୍‌ ଦଖଲର ମହତ୍ତ୍ୱାକାଂକ୍ଷା ଛାଡ଼ିବାକୁ ରୁଷିଆ ବାଧ୍ୟ ହୋଇଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମସ୍କୋ କେବଳ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଲୁହନ୍‌ସ୍କ ଓ ଡୋନେସ୍କର ସୀମିତ ଅଞ୍ଚଳ ଉପରେ ଫୋକସ୍‌ କରିପାରେ। ପ୍ରଥମ ପର୍ଯ୍ୟାୟ ଅପରେଶନ ଆପାତତଃ ସଫଳ ହୋଇଛି। ଏବେ ୟୁକ୍ରେନ୍‌ ପୂର୍ବରେ ଥିବା ଉପରୋକ୍ତ ଦୁଇ ଅଞ୍ଚଳକୁ ଗୁରୁତ୍ୱ ଦିଆଯିବ।

Share