ରୁଷିଆରେ ଇନଷ୍ଟାଗ୍ରାମ୍‌ ଉପରେ କଟକଣା, ୮ କୋଟି ୟୁଜରଙ୍କ ଆକାଉଣ୍ଟ୍‌ ବନ୍ଦ…

ମସ୍କୋ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏପରିସ୍ଥଳେ ରୁଷିଆ ଉପରେ କଟକଣା ବଢ଼ିବାରେ ଲାଗିଛି। ତେବେ ଏବେ ରୁଷିଆ ଏହାର ଜବାବ ଦେବା ଆରମ୍ଭ କରିଛି। ସୋମବାରଠାରୁ ରୁଷିଆରେ ଇନଷ୍ଟାଗ୍ରାମ୍‌ ଉପରେ କଟକଣା ଜାରି ହୋଇଛି। ଫଳରେ ୮ କୋଟି ୟୁଜରଙ୍କ ଆକାଉଣ୍ଟ୍‌ ବନ୍ଦ ହୋଇ ଯାଇଛି।

ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବା ଆରମ୍ଭ କରିଛି। ବଡ଼ ବଡ଼ କମ୍ପାନୀଗୁଡିକ ଏହା ଯୋଗୁ ବିଶେଷ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ରୁଷିଆର ୟୁକ୍ରେନ ଆକ୍ରମଣକୁ ବିରୋଧ କରି ଅନେକ କମ୍ପାନୀ ସେଠାରେ ସେମାନଙ୍କର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଏହା ପରେ, ବର୍ତ୍ତମାନ ଧୀରେ ଧୀରେ ରୁଷିଆ ପକ୍ଷରୁ ମଧ୍ୟ କଠୋର ପଦକ୍ଷେପ ନିଆଯାଉଛି।

ଖବର ଅନୁଯାୟୀ, କ୍ରେମଲିନ ରୁଷିଆରେ ଇନଷ୍ଟାଗ୍ରାମ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛି। ଏହି ପ୍ରତିବନ୍ଧକ ସୋମବାରଠାରୁ ଲାଗୁ ହୋଇଛି। ଏହି ନୂତନ ଆଦେଶ ପରେ ରୁଷିଆର ୮କୋଟିରୁ ଅଧିକ ୟୁଜର ସମଗ୍ର ବିଶ୍ୱରୁ ବିଚ୍ଛିନ୍ନ ହୋଇଛନ୍ତି। ରୁଷିଆର ଉପଭୋକ୍ତାମାନେ କହିଛନ୍ତି ଯେ ସେମାନେ ଏବେ ଇନଷ୍ଟାଗ୍ରାମ ଚଳାଇବାକୁ ଅସମର୍ଥ।

ଦୁଇ ଦିନ ପୂର୍ବେ ରୁଷିଆରେ ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଘୋଷଣା କରାଯାଇଥିଲା। ଇନଷ୍ଟାଗ୍ରାମ ମୁଖ୍ୟ ଆଦାମ ମୋସେରୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଯୋଗୁ ସୋସିଆଲ ମିଡ଼ିଆରେ ରୁଷିଆ ୟୁଜର ପରସ୍ପରଠାରୁ ଦୂରେଇ ଯାଇଛନ୍ତି। ସେ କହିଛନ୍ତି ଯେ ରୁଷିଆରେ ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ୮୦ ପ୍ରତିଶତ ୟୁଜର ଏହାକୁ ଦେଶ ବାହାରେ ମଧ୍ୟ ବ୍ୟବହାର କରନ୍ତି। ଏହି ସମସ୍ତ ୟୁଜର ଏହି ନିଷେଧାଦେଶ ଯୋଗୁ ନିଜ ନିଜ ନିଜ ପ୍ରିୟଜନଙ୍କଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛନ୍ତି।

ଫେସବୁକ (ବର୍ତ୍ତମାନ ମେଟା) ରୁଷର ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନଙ୍କୁ ନେଇ ନିୟମରେ ପରିବର୍ତ୍ତନ କରିଥିଲା। ୟୁକ୍ରେନରେ ରୁଷିଆର ଆକ୍ରମଣକୁ ବିରୋଧ କରି ଏହାର ହେଡ୍‌ ସ୍ପିଚ୍‌ ନୀତିରେ ପରିବର୍ତ୍ତନ କରୁଛି ବୋଲି ମେଟା ବିବୃତ୍ତିରେ କହିଥିଲା। ଏହା ଅନ୍ତର୍ଗତରେ ରୁଷରେ ଏହାର ବ୍ୟବହାରକାରୀଙ୍କୁ ମେଟା ଅନୁମତି ଦେଇଛି ଯେ ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୁଟିନଙ୍କ ବିରୋଧରେ ଖୋଲାଖୋଲି ଭାବେ କହିପାରିବେ।

ପୁଟିନଙ୍କ ବିରୋଧରେ ମେଟା ଦ୍ୱାରା କରାଯାଇଥିବା ନିୟମର ପରିବର୍ତ୍ତନକୁ ନେଇ ରୁଷିଆ ମଧ୍ୟ କଠୋର ପଦକ୍ଷେପ ନେଇଛି। ମେଟାକୁ ଏକ ଉଗ୍ରବାଦୀ ସଂଗଠନ ଘୋଷଣା କରି ରୁଷିଆ ଏହାର ଜବାବ ଦେଇଛି।

Share