ଆଇସିଜେ ରାୟକୁ ରୁଷିଆର ଅବଜ୍ଞା

ହେଗ୍‌/ମସ୍କୋ,୧୮ା୩:ୟୁକ୍ରେନ୍‌ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବୁଧବାର ରୁଷିଆକୁ ନିର୍ଦ୍ଦେଶ ଦେଇଥିବାବେଳେ ମସ୍କୋ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିଜେ ରାୟକୁ ରୁଷିଆ ମାନିବ ନାହିଁ ବୋଲି ଗୁରୁବାର ସ୍ପଷ୍ଟ ଶୁଣାଇଦେଇଛି। ରାୟର ଅନୁପାଳନ ପାଇଁ ଉଭୟ ରୁଷିଆ ଓ ୟୁକ୍ରେନ୍‌ ସହମତି ପ୍ରକାଶ କରିବା ଦରକାର। କିନ୍ତୁ ଏହି ମାମଲାରେ ସହମତି ପ୍ରକାଶ ପାଇବା ସମ୍ଭବ ନୁହେଁ ବୋଲି କ୍ରେମ୍‌ଲିନ୍‌ର ଜଣେ ମୁଖପାତ୍ର କହିଛନ୍ତି। ଆଇସିଜେ ରାୟ ମାନିବା ବାଧ୍ୟତାମୂଳକ ହୋଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଇବା ନେଇ ଅଦାଲତଙ୍କ କର୍ତ୍ତୃତ୍ୱ ନ ଥିବାରୁ ପୂର୍ବରୁ ଅନେକ ଦେଶ ଏହାକୁ ଅଣଦେଖା କରିଥିବା ନଜିର ରହିଛି।
ରୁଷିଆ ପୂର୍ବ ୟୁକ୍ରେନ୍‌ର ଡୋନେସ୍କ ଓ ଲୁହାନ୍‌ସ୍କରେ ଗଣହତ୍ୟା କରାଯାଉଥିବା ଦର୍ଶାଇ ଯୁଦ୍ଧର ଯଥାର୍ଥତା ପ୍ରତିପାଦିତ କରୁଥିବାବେଳେ ନିକଟରେ କ୍ୱିଭ୍‌ର ପ୍ରତିନିଧି ଆଣ୍ଟୋନ୍‌ କୋରିନେଭିକ୍‌ ତୁରନ୍ତ ମିଲିଟାରି ଅପରେଶନ ବନ୍ଦ ନିର୍ଦ୍ଦେଶ ଦାବି କରି ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଅନ୍ତର୍ଜାତୀୟ ବିବାଦର ଶୁଣାଣିବେଳେ ରୁଷିଆ ଆଇସିଜେ କୋର୍ଟ ବର୍ଜନ କରିଥିଲା। ଜାତିସଂଘର ୧୯୪୮ ଜେନୋସାଇଡ୍‌ କନ୍‌ଭେନଶନ୍‌ ପରିଧିରେ ୟୁକ୍ରେନ୍‌ର ନିବେଦନ ଆସୁ ନ ଥିବାରୁ ଆଇସିଜେ ଏହାର ଶୁଣାଣି କରିପାରିବେ ନାହିଁ ବୋଲି ମସ୍କୋ ଯୁକ୍ତି ବାଢ଼ିଥିଲା। ଆଇସିଜେରେ ଅଧ୍ୟକ୍ଷତା କରୁଥିବା ଆମେରିକୀୟ ବିଚାରପତି ଜୋଆନ୍‌ ଡୋନୋଗ୍‌ହୁ ବୁଧବାର ରାୟ ଶୁଣାଇବା ବେଳେ କହିଥିଲେ, ରୁଷୀୟ ସଂଘ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ବିରୋଧରେ ଆରମ୍ଭ କରିଥିବା ସାମରିକ ଅପରେଶନକୁ ତୁରନ୍ତ ବନ୍ଦ କରୁ। ଇତିମଧ୍ୟରେ ଆଇସିଜେ ନିର୍ଦ୍ଦେଶକୁ ଆମେରିକା ସ୍ବାଗତ କରିଛି। ପରରାଷ୍ଟ୍ର ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ରୁଷିଆକୁ ତୁରନ୍ତ ସାମରିକ ଅଭିଯାନ ପାଇଁ ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାୟ, ଯାହାକୁ ଆମେ ସ୍ବାଗତ କରୁଛୁ। ୟୁକ୍ରେନ୍‌ରେ ମାନବୀୟ ସଙ୍କଟ ଦୂର କରିବା ଲାଗି ରୁଷିଆ ଏହାକୁ ମାନିବା ଦରକାର। ଜାତିସଂଘର ଚାର୍ଟର ଅନୁସାରେ ଆଇସିଜେ ଏହି ଅନ୍ତର୍ଜାତୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି। ଦୁଇରାଷ୍ଟ୍ର ଯୁଦ୍ଧ ଆଇନ ସମେତ ଅନ୍ୟ ଅନ୍ତର୍ଜାତୀୟ ଆଇନ ଅନୁସାରେ ନିଜ ଉତ୍ତରଦାୟିତ୍ୱ ତୁଲାଇବା ଉଚିତ ବୋଲି ପ୍ରାଇସ୍‌ କହିଛନ୍ତି। ଅନ୍ୟପକ୍ଷେ କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ କହିଛନ୍ତି, ରାୟକୁ ଆମେ ପାଳନ କରିବୁ ନାହିଁ। ରାୟର ଅନୁପାଳନ ଲାଗି ଉଭୟ ପକ୍ଷ ରାଜି ହେବା ଦରକାର।

Share