ଗୋଟିଏ ଦିନରେ ୨ଟି ପ୍ଲେନ କ୍ରାଶ, ଉଡୁଥିବା ବେଳେ ହଠାତ୍ ଜଙ୍ଗଲରେ ଖସି ପଡ଼ିଲା

ମସ୍କୋ,୧୬।୬: ଆମେରିକା ପରେ ଏବେ ଏକ ରୁଷିଆର Tu-22M3 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । Tu-22M3 ବିମାନଟି ସୋମବାର ସାଇବେରିଆର ଇରକୁଟସ୍କ ଅଞ୍ଚଳରେ ଏକ ତାଲିମ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ୍ ସମେତ ଚାରି ଜଣ ସଦସ୍ୟ ସମୟ ମଧ୍ୟରେ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ ହୋଇଥିଲେ। ଦୁର୍ଘଟଣାରେ କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି ।

Tu-22 ହାଇପରସୋନିକ୍ ‘କିଞ୍ଜାଲ୍’ କ୍ଷେପଣାସ୍ତ୍ର ବହନ କରିବାରେ ସକ୍ଷମ ଥିଲା। NATO ଏହାକୁ ‘ବ୍ୟାକଫାୟାର’ କୋଡନାମ ଦେଇଥିଲା। ଏହା ସୋଭିଏତ୍ ଯୁଗର ଏକ ସୁପରସୋନିକ୍ ବିମାନ। ରୁଷିଆ ଏହାକୁ ସିରିଆ ଏବଂ ୟୁକ୍ରେନରେ ସଂଘର୍ଷରେ ମଧ୍ୟ ନିୟୋଜିତ କରିଥିଲା। Tu-22M3 ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ, ବିମାନଟି ଅଙ୍ଗାରା ନଦୀ କୂଳରୁ ଅଳ୍ପ ଦୂରରେ ଏକ ଘନ ଜଙ୍ଗଲିଆ ଅଞ୍ଚଳରେ ପଡିଯାଉଥିବାର ଦେଖାଯାଇଥିଲା। କିଛି ସେକେଣ୍ଡ ମଧ୍ୟରେ, ବିମାନଟି ଜଙ୍ଗଲରେ ଖସିପଡ଼ିଥିଲା ​​ଏବଂ ଧୂଆଁମୟ ହୋଇଯାଇଥିଲା ।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ୍ ସମେତ ଚାରି ଜଣିଆ କ୍ରୁ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିଥିଲେ। ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ସୂଚନା ରହିଛି ।

 

Dharitri – Odisha’s No.1 Odia Daily

Share
Tags: plane crash