ରୁଷିଆକୁ ବଡ଼ ଝଟ୍‌କା: ଖାର୍କିଭ୍‌ରୁ ସୀମା ପର୍ଯ୍ୟନ୍ତ ସୈନ୍ୟଙ୍କୁ ତଡ଼ିଲା ୟୁକ୍ରେନ

କିଭ୍‌,୧୭।୫: ୟୁକ୍ରେନ ସହିତ ଯୁଦ୍ଧ କରୁଥିବା ରୁଷୀୟ ସୈନ୍ୟଙ୍କୁ ପୁଣି ଥରେ ମୁହଁତୋଡ ଜବାବ ମିଳିଛି। କିଭ୍‌କୁ କବ୍‌ଜା କରିବାକୁ କରାଯାଇଥିବା ଉଦ୍ୟମ ବିଫଳ ହେବା ପରେ ବର୍ତ୍ତମାନ ରୁଷିଆ ସୈନ୍ୟଙ୍କୁ ଖାର୍କିଭରୁ ମଧ୍ୟ ତଡ଼ି ଦିଆଯାଇଛି। ଖାର୍କିଭ ଯୁଦ୍ଧରେ ସେମାନେ ଜିତିଛନ୍ତି ବୋଲି ୟୁକ୍ରେନ ଦାବି କରିଛି। ଏହି ଯୁଦ୍ଧ ରୁଷିଆ ପାଇଁ ସବୁଠାରୁ ବଡ଼ ଝଟ୍‌କା ବୋଲି କୁହାଯାଉଛି। ୟୁକ୍ରେନ ଦାବି କରିଛି ଯେ, ଗତ କିଛି ଦିନରୁ ଖାର୍କିଭରେ କୌଣସି ଆକ୍ରମଣ ହେଉନାହିଁ। ସୂଚନାଯୋଗ୍ୟ, ୟୁକ୍ରେନ ଓ ରିଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ୮୨ଦିନ ବିତିଗଲାଣି। ହେଲେ ଏବେ ବି ୟୁକ୍ରେନର ଅନେକ ସହର ଉପରେ ରୁଷିଆ ନିଜର ଆକ୍ରମଣ ଜାରି ରହିଛି। କିନ୍ତୁ ୟୁକ୍ରେନବାସୀ ଓ ସୈନ୍ୟମାନେ ପୁଟିନ୍‌ଙ୍କ ସୈନ୍ୟଙ୍କ ସହ ଦୃଢ଼ତାର ସାମ୍ନାକୁ କରୁଛନ୍ତି। ସୂଚନା ମୁତାବକ, ଖାର୍କିଭ ହେଉଛି ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର। ଏହି ସହର ରୁଷିଆ ସୀମାଠାରୁ ମାତ୍ର ୮୦କିଲୋମିଟର ଦୂରରେ ଅବସ୍ଥିତ। ଏହାର ଦକ୍ଷିଣ-ପଶ୍ଚିମ ଦିଗରେ ରୁଷିଆର ବେଲଗୋରୋଡ ସହର ଅବସ୍ଥିତ। ଖାର୍କିଭରେ ୧୦ଲକ୍ଷରୁ ଅଧିକ ଲୋକ ବାସ କରୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ରୁଷିଆର ଆକ୍ରମଣ ଯୋଗୁ ସହର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏଥିମଧ୍ୟରୁ କିଛି ୟୁକ୍ରେନର ଅନ୍ୟ ସହରରେ ଏବଂ କିଛି ପଡୋଶୀ ଦେଶରେ ବାସ କରୁଛନ୍ତି। ଅନ୍ୟପଟେ ଖାର୍କିଭର ଆଖପାଖ ଅଞ୍ଚଳରେ ରୁଷୀଆ ସୈନ୍ୟଙ୍କୁ ତଡ଼ିବା କାର୍ଯ୍ୟ ଜାରି ରହିଛି ବୋଲି ଉକ୍ତ ଅଞ୍ଚଳର ରାଜ୍ୟପାଳ ଓଲେହ ସିନେଗୁବୋଭ କହିଛନ୍ତି। ଏଥିସହ ସେ କହିଛନ୍ତି, ଇଜ୍ୟୁମ ସହରରେ ୟୁକ୍ରେନ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ ଆରମ୍ଭ କରିଛି। ଏପ୍ରିଲ ଆରମ୍ଭରୁ ରୁଷିଆ ସେନା ଏଠାରେ କବଜା କରିନେଇଛନ୍ତି।

Share