ବନ୍ଦିଥିବା ଆମେରିକା ନାଗରିକଙ୍କୁ ମୁକ୍ତ କଲେ ରୁଷିଆ ସେନା

କ୍ୱିଭ,୨୭ ।୩: ୟୁକ୍ରେନରେ ରୁଷିଆ ସେନାଙ୍କ ଦ୍ୱାରା ବନ୍ଦିଥିବା ଆମେରିକା ନାଗରିକଙ୍କୁ ମୁକ୍ତ କରାଯାଇଛି । ଆମେରିକା ସାଂସଦ ଏମି କ୍ଲୋବୁଚର ଏହି ସୂଚନା ଦେଇଛନ୍ତି । ଆମେରିକାର ମିନିସୋଟା ରାଜ୍ୟ ନିବାସୀ ଟେଲର ଜ୍ୟାକବଙ୍କୁ ଚଳିତ ମାସ ଆରମ୍ଭରେ ୟୁକ୍ରେନରୁ ତୁର୍କି ଯାଉଥିବା ସମୟରେ ରୁଷିଆ ସେନା ବନ୍ଦି କରି ଦେଇଥିଲେ । କ୍ଲୋବୁଚର କହିଛନ୍ତି ସେ ଆମେରିକାର ବୈଦେଶିକ ବିଭାଗ ଓ ରୁଷିଆରେ ଥିବା ଆମେରିକାର ରାଷ୍ଟ୍ରଦୂତ ଜନ ସୁଲିବନଙ୍କ କଥା ହୋଇଥିଲେ । ସୁଲିବନ ଏ ସମ୍ପର୍କରେ ରୁଷିଆ ସରକାରଙ୍କ ସହ ଚର୍ଚ୍ଚା କରିଥିଲେ ।
ସୂଚନାଯୋଗ୍ୟ, ଜ୍ୟାକବ ଗତ ନଭେମ୍ବରରେ ୟୁକ୍ରେନ୍ ଯାଇଥିଲେ । ସେଠାରେ ସେ ଇଂରାଜୀ ଶିକ୍ଷାଦାନ କାମ ଆରମ୍ଭ କରିଥିଲେ । ଏହାପରେ ସେ ୟୁକ୍ରେନର ଜଣେ ଯୁବତିଙ୍କୁ ବିବାହ କରିନେଇଥିଲେ । ଉଭୟ ଖେରସନରେ ରହୁଥିଲେ । ରୁଷିଆ ଆକ୍ରମଣ ପରେ ଜ୍ୟାକବ ୟୁକ୍ରେନ୍ ଛାଡିବା କଥା ଚିନ୍ତା କରିଥିଲେ । ହେଲେ ତୁର୍କି ସୀମା ଆଡକୁ ଆସିବା ସମୟରେ ତାଙ୍କୁ ଆର୍ମିସ୍କରେ ସୁରକ୍ଷା ଯାଞ୍ଚ ସମୟରେ ବନ୍ଦି କରି ଦିଆଯାଇଥିଲା । ଏବେ ଜ୍ୟାକବ ତାଙ୍କ ପତ୍ନୀ ଓ ଝିଅ ସହ ସୁରକ୍ଷିତ ଥିବା ବେଳେ ମିନିସୋଟା ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ।

Share