ପୁରୁଷଙ୍କୁ ବଳାତ୍କାର କରୁଛନ୍ତି ରୁଷୀୟ ସୈନ୍ୟ

ବ୍ରସେଲ୍ସ, ୫ା୫: ୟୁକ୍ରେନ୍‌ ଦଖଲ ପାଇଁ ଯାଇଥିବା ରୁଷୀୟ ସୈନ୍ୟଙ୍କ ଅମାନବୀୟ ଓ ବର୍ବର କାଣ୍ଡର ତାଲିକା ଲମ୍ବିଚାଲିଛି। ସାମରିକ ଅଭିଯାନ ନାଁରେ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ୟୁକ୍ରେନ୍‌ରେ ରୁଷିଆ ଧ୍ୱଂସଲୀଳା ଜାରି ରଖିଥିବାବେଳେ ସାଧାରଣଙ୍କ ଲୋକଙ୍କ ଜୀବନ ଦୁର୍ବିଷହ ହୋଇଛି। ୟୁକ୍ରେନ୍‌ ଯୁବତୀ, ମହିଳା ଏପରି କି ନାବାଳିକାମାନଙ୍କୁ ରୁଷୀୟ ସୈନ୍ୟ ବନ୍ଦୀ ରଖି ବଳାତ୍କାର କରିଥିବା ଏବଂ ସେମାନଙ୍କ ମଧ୍ୟରୁ ଅନେକେ ଗର୍ଭବତୀ ହେବା ଘଟଣା ଚିନ୍ତାର ବିଷୟ ହୋଇଛି। ପୁରୁଷ ତଥା ବାଳକମାନେ ମଧ୍ୟ ସେମାନଙ୍କ ଏଭଳି ବର୍ବରତାରୁ ବର୍ତ୍ତିପାରିନାହାନ୍ତି। ରୁଷୀୟ ସୈନ୍ୟ ୟୁକ୍ରେନ୍‌ ବାଳକ ଓ ଯୁବକମାନଙ୍କୁ ମଧ୍ୟ ଯୌନ ନିର୍ଯାତନା ତଥା ବଳାତ୍କାର କରୁଥିବା ନେଇ ଅଭିଯୋଗ ଆସୁଥିବା ଜାତିସଂଘ କହିଛି।

ଜାତିସଂଘର ସ୍ବତନ୍ତ୍ର ପ୍ରତନିଧି ପ୍ରମିଳା ପାଟେନ୍‌ କହିଛନ୍ତି, ରୁଷିଆ ସୈନ୍ୟ ୟୁକ୍ରେନ୍‌ରେ ପୁରୁଷଙ୍କ ପ୍ରତି ଅମାନବୀୟ ବ୍ୟବହାର ଓ ହିଂସାତ୍ମକ ଆଚରଣର ଅନେକ ରିପୋର୍ଟ ତାଙ୍କ ନିକଟକୁ ଆସୁଛି। ପୀଡ଼ିତ ଏ ସମ୍ପର୍କରେ ଅଭିଯୋଗ ଆଣିବା ବେଶ୍‌ ଆହ୍ବାନପୂର୍ଣ୍ଣ। ତେଣୁ ମହିଳା, ଯୁବତୀଙ୍କ ସମେତ ସମସ୍ତ ପୀଡ଼ିତାପୀଡ଼ିତଙ୍କ ନିମନ୍ତେ ଏକ ସୁରକ୍ଷିତ ସ୍ଥାନ ସୃଷ୍ଟି କରିବା ଜରୁରୀ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦ୍ଦେଶରେ ଫେବୃୟାରୀ ୨୪ରେ ମିଲିଟାରୀ ଅପରେଶନ ଆରମ୍ଭ କରିଥିବା ରୁଷିଆ ସୈନ୍ୟଙ୍କୁ ୟୁକ୍ରେନ୍‌ରେ ନିରାଶ ହେବାକୁ ପଡ଼ିଛି। ଲକ୍ଷ୍ୟ ହାସଲରେ ବିଫଳତା ହତାଶ କରିଦେଇଥିବାବେଳେ କ୍ଷୁଧା ମେଣ୍ଟାଇବା ପାଇଁ କୁକର୍ମ କରୁଥିବା ନଜରକୁ ଆସୁଛି।

Share