ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ।

କ୍ରେମଲିନ ପକ୍ଷରୁ ଜାରି ବୟାନ ଅନୁସାରେ, ସାକ୍ଷାତ ସମୟରେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ରୁଷିଆ ଗସ୍ତ ଭାରତ ଓ ରୁଷିଆ ମଧ୍ୟରେ ଦଶନ୍ଧି ଧରି ରହିଆସିଥିବା ଦୃଢ଼ ସମ୍ପର୍କର ସ୍ତରକୁ ପ୍ରତିଫଳିତ କରୁଛି। ଏହା ସହ ସଙ୍କଟ ସମୟରେ ରୁଷିଆ ଭାରତର ସାଥୀ ହୋଇ ରହିବ ବୋଲି ପୁଟିନ ସଙ୍କେତ ଦେଇଛନ୍ତି।

ଭାରତ ଓ ରୁଷିଆ ମଧ୍ୟରେ ବାଣିଜ୍ୟିକ କାରବାର ବୃଦ୍ଧିକୁ ନେଇ ପୁଟିନ କହିଛନ୍ତି, ଏହି ବର୍ଷ ଆମ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବଢ଼ିଥିବା ଦେଖି ମୁଁ ଖୁସି। ଗତବର୍ଷ ଏଥିରେ ସାମାନ୍ୟ ହ୍ରାସ ଘଟିଥିଲା, କିନ୍ତୁ ଚଳିତ ବର୍ଷ ଏହା ପୁଣି ବଢ଼ୁଛି।

ଏହି ବୃଦ୍ଧିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାକୁ ମଧ୍ୟ ପୁଟିନ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତ-ରୁଷିଆ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ମୋଦି ବ୍ୟକ୍ତିଗତ ଭାବେ ଧ୍ୟାନ ଦେଉଛନ୍ତି।
ସାକ୍ଷାତକାରର ଆରମ୍ଭରେ ପୁଟିନ ଜୟଶଙ୍କରଙ୍କୁ କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଶୁଭେଚ୍ଛା ଜଣାଇବାକୁ। ଖୁବଶୀଘ୍ର ମୋଦିଙ୍କ ସହ ପୁଣିଥରେ ସାକ୍ଷାତ ହେବ ବୋଲି ମଧ୍ୟ ପୁଟିନ ଆଶା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ସାଂଘାଇ ସହଯୋଗ ସଂଗଠନ (SCO)ର ଢାଞ୍ଚା ମଧ୍ୟରେ ମୋଦିଙ୍କ ସହ ଭେଟିବା ନେଇ ଯୋଜନା ରହିଛି। କାର୍ଯ୍ୟସୂଚୀ ଅନୁକୂଳ ରହିଲେ ଚଳିତ ବର୍ଷ ହିଁ ଦୁଇ ନେତାଙ୍କ ମଧ୍ୟରେ ପୁଣିଥରେ ସାକ୍ଷାତ ହୋଇପାରେ ବୋଲି ପୁଟିନ କହିଛନ୍ତି।

ସେ କହିଛନ୍ତି, ଏଭଳି ଅନେକ ପ୍ରସଙ୍ଗ ରହିଛି। ସେଥିମଧ୍ୟରୁ ଗୋଟିଏ କେବଳ ଶକ୍ତି କ୍ଷେତ୍ର ସହ ଜଡ଼ିତ ନୁହେଁ, ବରଂ ସାର ଯୋଗାଣ ମଧ୍ୟ ଏକ ବଡ଼ ପ୍ରସଙ୍ଗ। ଭାରତୀୟ କୃଷକ ଏବଂ କୃଷି କ୍ଷେତ୍ର ପାଇଁ ଏହି ସମସ୍ୟାର ସମାଧାନ ଲାଗି ଆମେ ସବୁକିଛି କରୁଛୁ। ଆମେ ଏହି ଯୋଗାଣ ବଢ଼ାଉଛୁ ଏବଂ ଆଗକୁ ମଧ୍ୟ ଏହାକୁ ଜାରି ରଖିବାକୁ ପ୍ରସ୍ତୁତ ଅଛୁ। ପରମାଣୁ ଶକ୍ତି, ହାଇ-ଟେକ କ୍ଷେତ୍ରରେ ସହଯୋଗ ଏବଂ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ସମସ୍ତ ପ୍ରସଙ୍ଗ ମଧ୍ୟ ଆମ ଏଜେଣ୍ଡାରେ ରହିଛି। ଏହି ସହଯୋଗ ଦ୍ରୁତ ଗତିରେ ବଢ଼ୁଛି।

 

Odisha’s No.1 Odia Daily

Share