ୟୁକ୍ରେନରେ ଆଜି କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷିଆ

କ୍ୱିଭ୍‌,୨ା୪: ଫେବୃୟାରୀ ଶେଷ ସପ୍ତାହରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଶନିବାର ସକାଳେ ରୁଷିଆ କେନ୍ଦ୍ରୀୟ ୟୁକ୍ରେନର ଦୁଇଟି ସହର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଆବାସିକ କୋଠା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଯାଇଛି। ପୋଲଟାଭା ଅଞ୍ଚଳର ମୁଖ୍ୟ ଏହି ସୂଚନା ଦେଇଛନ୍ତି। ଦମିତ୍ରୀ ଲ୍ୟୁନିନ୍‌ ତାଙ୍କ ଅନଲାଇନ୍‌ ପୋଷ୍ଟରେ ଲେଖିଛନ୍ତି, ‘ଏଠାରେ ଏକ ବିଲ୍ଡିଂରେ ଏକ କ୍ଷେପଣାସ୍ତ୍ର ଫସି ରହିଥିଲା। ଆଜି ସକାଳେ ସହରରେ ଅନେକ ଆକ୍ରମଣ ହୋଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଅତି କମ୍‌ରେ ୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଯାହା ପୋଲଟାଭାର ଦୁଇଟି ଭିତ୍ତିଭୂମିକୁ ନଷ୍ଟ କରି ଦେଇଥିଲା। କ୍ରେମେଞ୍ଚକର ଶିଳ୍ପ ୟୁନିଟ୍‌ ଉପରେ ତିନୋଟି ଏୟାର ଷ୍ଟ୍ରାଇକ୍‌ ହୋଇଥିଲା। ପୋଲଟାଭା ଅଞ୍ଚଳର ରାଜଧାନୀ ହେଉଛି କ୍ୱିଭ୍‌ର ପୂର୍ବରେ ଥିବା ପୋଲଟାଭା ସହର। ଏହି ଅଞ୍ଚଳର ସବୁଠୁ ବଡ଼ ସହର ହେଉଛି କ୍ରେମେଞ୍ଚକ। ବର୍ତ୍ତମାନ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ।

Share