ଆରମ୍ଭରୁ ରୁଷିଆର ଶତ୍ରୁତା

ଲଣ୍ଡନ,୬।୯: ଲିଜ୍‌ ଟ୍ରସ୍‌ ନୂଆ ନେତା ଭାବେ ଦାୟିତ୍ୱ ନ ନେଉଣୁ ରୁଷିଆ ଶତ୍ରୁତାପୂର୍ଣ୍ଣ ଆଚରଣ କରିଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଟ୍ରସ୍‌ ମସ୍କୋ ବିରୋଧରେ ବିଷୋଦ୍‌ଗାର କରିଥିଲେ। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଗତ ମାର୍ଚ୍ଚ ୩୧ରେ ଭାରତ ଆସିଥିବାବେଳେ ତତ୍କାଳୀନ ବ୍ରିଟେନ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରସ୍‌ ଦିଲ୍ଲୀ ଗସ୍ତ କରିଥିଲେ। ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏଥିସହ ରୁଷିଆ ବିରୋଧରେ କଟକଣା ଜାରି କରିବାରେ ଭାରତ ମଧ୍ୟ ସାମିଲ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ବର୍ଷ ଆରମ୍ଭରେ ଟ୍ରସ୍‌ଙ୍କ ସହ ଆଲୋଚନା ବେଳର ତିକ୍ତ ଅନୁଭୂତିକୁ ଲାଭ୍ରୋଭ୍‌ ମନେପକାଇ କହିଛନ୍ତି, ସାକ୍ଷାତ ସମୟରେ ଦୁଇଜଣ ମୂକ ଓ ବଧିରଙ୍କ ଭଳି ଆଲୋଚନା ହୋଇଥିଲା। ରାଜନୈତିକ ସମୀକ୍ଷକଙ୍କ ମତରେ ଟ୍ରସ୍‌ ରୁଷିଆ ପ୍ରତି ବ୍ରିଟେନର ପୂର୍ବ ଆଭିମୁଖ୍ୟକୁ ବଜାୟ ରଖି ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ ଜାରି ରଖିବେ। ତେଣୁ କ୍ରେମ୍‌ଲିନ ବିରୋଧୀ ଟ୍ରସ୍‌ଙ୍କୁ ଅପଦସ୍ଥ କରିବା ଲାଗି ରୁଷିଆ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ।

Share