କିଭ୍,୧ା୯: ୟୁକ୍ରେନ୍ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ମଙ୍ଗଳବାର କହିଛନ୍ତି।
ୟୁକ୍ରେନ୍ର ବିଭିନ୍ନ ସହର ଉପରେ ରୁଷିଆ ଡ୍ରୋନ୍ ଏବଂ ବାଲିଷ୍ଟିକ୍ ମିଶାଇଲ୍ ମାଡ଼ କରିଛି। ଫଳରେ ବହୁ ଆବାସିକ ଅଟ୍ଟାଳିକା ଓ ବେସାମରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଓଡ଼େସା ସହର ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ସନ୍ଧ୍ୟାରୁ ଗାଇଡେଡ୍ ବୋମା ଓ ଡ୍ରୋନ୍ ଆକ୍ରମଣ ଜାରି ରହିଥିଲା।
ଫଳରେ ଅନେକ ହଜାର ପରିବାରକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜେଲେନ୍ସ୍କି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି। ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଓଡେସା ଏବଂ କିଭ୍ ସମେତ ଖେର୍ସନ, ଡୋନେସ୍କ, ଜାପୋରିଝିଆ, ଖର୍କିଭ, ଚେର୍ନିହିଭ୍, ଝିଟୋମିର, ସୁମି ଏବଂ ଡନିପ୍ରୋ ଅଞ୍ଚଳରେ ଆକ୍ରମଣ ହୋଇଛି।
କିଭ୍ର ଏକ ରେଲଓ୍ବେ ଡିପୋ ଉପରେ ଆକ୍ରମଣ ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ବୋରିସ୍କିଲ୍ରେ ଏକ ୫ ମହଲା ଆବାସିକ ବିଲ୍ଡିଂ କ୍ଷତିଗ୍ରସ୍ତ ହେବା ସହ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୩ ଜଣ ଆହତ ହୋଇଛନ୍ତି। ଉକ୍ତ ବିଲ୍ଡିଂରୁ ୫୦ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜେଲେନ୍ସ୍କି କହିଛନ୍ତି।
ରୁଷିଆ ଜାଣିଶୁଣି ସାଧାରଣ ନାଗରିକମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିବା ଜେଲେନ୍ସ୍କି ଅଭିଯୋଗ କରିଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍କୁ ପ୍ରତିରକ୍ଷା ସହାୟତା ବଢ଼ାଇବା ପାଇଁ ସେ ନିବେଦନ କରିଛନ୍ତି।