ୟୁକ୍ରେନ୍ ଛାଡିଥିବା ଭାରତୀୟ ଛାତ୍ରଙ୍କୁ ଅଫର ଦେଲା ରୁଷିଆ

ମସ୍କୋ,୧୧ ।୧୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ବହୁ ଭାରତୀୟ ମେଡିକାଲ ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି । ଫେବୃୟାରୀ ୨୦୨୨ର ଶେଷ ଭାଗରେ ଯେତେବେଳେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କଲା ସେତେବେଳେ ଅଧିକାଂଶ ଭାରତୀୟ ଛାତ୍ରଙ୍କୁ ଭାରତ ଫେରାଇ ଅଣାଯାଇଥିଲା । ଫଳରେ ଅଧିକାଂଶ ଭାରତୀୟ ମେଡିକାଲ ଛାତ୍ରଙ୍କ ଭବିଷ୍ୟତ ଅଧାରେ ଝୁଲି ରହିଲା । ଏବେ ଏହି ଛାତ୍ରଙ୍କ ପାଠପଢା ଶେଷ କରିବା ଲାଗି ରୁଷିଆ ଏମାନଙ୍କୁ ନିଜ ଦେଶକୁ ଆସିବାକୁ ଅଫର କରିଛି ।

ଚେନ୍ନାଇରେ ରୁଷିଆର ମହାବାଣିଜ୍ୟିକ ଦୂତ ଓଲେଗ ଅବଦିବ କହିଛନ୍ତି, ୟୁକ୍ରେନ୍ ଛାଡିଥିବା ଭାରତୀୟ ଛାତ୍ରମାନେ ରୁଷିଆରେ ସେମାନଙ୍କ ଶିକ୍ଷା ଜାରି ରଖିପାରିବେ କାରଣ ଉଭୟ ଦେଶର ଡାକ୍ତରୀ ପାଠ୍ୟକ୍ରମ ସମାନ । ଏହାସହ ଏଠାରେ ଥିବା ଲୋକଙ୍କ ଭାଷା ମଧ୍ୟ ସେମାନେ ବୁଝି ପାରିବେ କାରଣ ୟୁକ୍ରେନର ଅଧିକାଂଶ ଲୋକେ ରୁଷିଆ ଭାଷା ବୁଝିପାରନ୍ତି ।
ଓଲେଗ ଅବଦିବ କହିଛନ୍ତି, ଅନେକ ଛାତ୍ର ଅଧ୍ୟୟନ ପାଇଁ ରୁଷିଆ ଯାଆନ୍ତି । ରୁଷିଆରେ ଛାତ୍ରବୃତ୍ତି ପାଇଁ ଅଧିକରୁ ଅଧିକ ଛାତ୍ରୀଛାତ୍ର ଆବେଦନ କରୁଛନ୍ତି । ପ୍ରତିବର୍ଷ ଅନେକ ଭାରତୀୟ ଛାତ୍ର ଉଭୟ ୟୁକ୍ରେନ୍ ଓ ରୁଷିଆକୁ ମେଡିସିନ ଓ ବିଭିନ୍ନ ପାଠ୍ୟକ୍ରମ ଅଧ୍ୟୟନ କରିବାକୁ ଯାଇଥାଆନ୍ତି । ଯୁଦ୍ଧ ଯୋଗୁ ଛାତ୍ରମାନେ ଅଧ୍ୟୟନ ଶେଷ କରିବାକୁ ୟୁକ୍ରେନ୍ ଫେରିବାକୁ ଅସମର୍ଥ ।

Share