Categories: ଖେଳ

ଗ୍ରିନରଙ୍କ ଆବେଦନକୁ ରୁଷୀୟ କୋର୍ଟଙ୍କ ଖାରଜ

ମସ୍କୋର, ୨୬।୧୦(ଏପି): ଆମେରିକାର ମହିଳା ଷ୍ଟାର ବାସ୍କେଟବଲ ଖେଳାଳି ବ୍ରିଟ୍‌ନୀ ଗ୍ରୀନରଙ୍କ ଆବେଦନକୁ ଏକ ରୁଷୀୟ କୋର୍ଟ ଖାରଜ କରିଦେଇଛନ୍ତି। ମସ୍କୋର ସେରେମେତ୍‌ୟୋଭ ବିମାନ ବନ୍ଦରରେ ପୋଲିସ ବ୍ରିଟ୍‌ନୀଙ୍କ ଲଗେଜରୁ ଡ୍ରଗ୍ସ ଜବତ କରିଥିଲା। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଗଷ୍ଟ ୪ତାରିଖରେ ତାଙ୍କୁ ୯ବର୍ଷ ଜେଲ୍‌ ଦଣ୍ଡ ହୋଇଥିଲା। ୟୁକ୍ରେନକୁ ରୁଷିଆର ସୈନ୍ୟ ପ୍ରେରଣର କିଛି ଦିନ ପୂର୍ବରୁ ଦୁଇଥର ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ଗ୍ରିନରଙ୍କୁ ଫେବୃୟାରୀରେ ଗିରଫ କରାଯାଇଥିଲା। ସେତେବେଳେ ମସ୍କୋ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଗ୍ରୀନର ୟୁଏସ୍‌ ଲିଗ୍‌ର ଅଫ୍‌ ସିଜନରେ ଖେଳିବା ଲାଗି ରୁଷିଆ ଆସିଥିଲେ। ସେ ସଫେଇ ଦେଇଛନ୍ତି ଯେ, ତାଙ୍କ ନିକଟରୁ ଜବତ ହୋଇଥିବା ଡ୍ରଗ୍ସକୁ ସେ କୌଣସି ମନ୍ଦ ଉଦ୍ଦେଶ୍ୟରେ ଆଣି ନ ଥିଲେ। ଏହା ଏକ ଯନ୍ତ୍ରଣା ନିବାରକ ଔଷଧ। ଗ୍ରୀନରଙ୍କର ଭିଡିଓ କଲ୍‌ ଜରିଆରେ ମସ୍କୋ ରିଜିଓନାଲ କୋର୍ଟରେ ଶୁଣାଣି ହୋଇଥିଲା। ସେ ମସ୍କୋ ଉପକଣ୍ଠସ୍ଥିତ ଏକ ପେନାଲ କଲୋନୀରେ ଥାଇ ଏଥିରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ କି ସେ ବର୍ତ୍ତମାନ ବନ୍ଦୀ ଅଛନ୍ତି।
ସୂଚନାଯୋଗ୍ୟ, ୟୁଏସ୍‌ ଓ ରୁଷିଆ ମଧ୍ୟରେ ବନ୍ଦୀ ଆଦାନ ପ୍ରଦାନ ହୋଇଥାଏ। ଏହି ପ୍ରକ୍ରିୟା ଜରିଆରେ ଗ୍ରୀନର ରିଲିଜ୍‌ ହୋଇପାରିବେ। ଗତ ଏପ୍ରିଲରେ ମସ୍କୋ ଆମେରିକାର ଭେଟେରାନ ଟ୍ରେଭର ରିଡ୍‌ଙ୍କୁ ରୁଷୀୟ ପାଇଲଟ କୋନଷ୍ଟାନଟିନ୍‌ ୟାରୋସେଙ୍କୋଙ୍କ ବଦଳରେ ରିଲିଜ କରିଥିଲା, ଯିଏକି ଏକ ଡ୍ରଗ୍‌ ଟ୍ରାଫିିକିଙ୍ଗ୍‌ ଷଡ଼ଯନ୍ତ୍ର ଘଟଣାରେ ଦଣ୍ଡିତ ହୋଇଥିଲେ। ଆମେରିକା ହେପାଜତରେ ଥିବା ଅନ୍ୟ ବନ୍ଦୀମାନଙ୍କୁ ରିଲିଜ କରିବା ଲାଗି ରୁଷିଆ ପକ୍ଷରୁ ଉଦ୍ୟମ ଚାଲିଛି।

Share