ଜାଣନ୍ତୁ କେଉଁମାନଙ୍କୁ ଦିଆଯିବ ନାହିଁ ରୁଷିଆ ଟିକା

ମସ୍କୋ,୧୨ା୮: ୧୮ ବର୍ଷରୁ କମ୍‌ ଏବଂ ୬୦ ବର୍ଷରୁ ଅଧିକ ଲୋକଙ୍କୁ ରୁଷିଆର କରୋନା ଟିକା ପ୍ରୟୋଗ କରିବାକୁ ଅନୁମତି ଦିଆଯାଇ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ମଧ୍ୟ ଟିକାକରଣ କରାଯିବ ନାହିଁ। ତେବେ ବର୍ତ୍ତମାନ ଏହି ଲୋକଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଅଧ୍ୟୟନ କରାଯାଇ ନାହିଁ।
ମଙ୍ଗଳବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଘୋଷଣା କରିଛନ୍ତି ଯେ, ରୁଷିଆରୁ ଏକ ସଫଳ କରୋନା ଟିକା ପ୍ରସ୍ତୁତ କରିଛନ୍ତି। କିନ୍ତୁ ରୁଷିଆର କରୋନା ଟିକାର ପର୍ଯ୍ୟାୟ – ୩ ପରୀକ୍ଷା ହୋଇ ନ ଥିବାରୁ ବିଶ୍ୱର ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିପାଇଁ, ଟିକା ନିରାପଦ ଏବଂ ପ୍ରଭାବଶାଳୀ କି ନୁହେଁ, ବିଶ୍ୱର ବିଶେଷଜ୍ଞମାନେ ପର୍ଯ୍ୟାୟ – ୩ ପରୀକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି, ଟିକାର ସଫଳତା କିମ୍ବା ବିଫଳତା କେବଳ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପରେ ଚିହ୍ନଟ ହୋଇପାରିବ।
ଅନ୍ୟପକ୍ଷରେ ରୁଷିଆ କହିଛି, ଏହାର ଟିକାକରଣର ପର୍ଯ୍ୟାୟ-୩ ପରୀକ୍ଷା ସାଉଦି ଆରବ, ୟୁଏଇ, ବ୍ରାଜିଲ, ମେକ୍ସିକୋ ଏବଂ ରୁଷିଆରେ ଅଗଷ୍ଟ ୧୨ରୁ ଆରମ୍ଭ ହୋଇଛି। ପର୍ଯ୍ୟାୟ -୩ ପରୀକ୍ଷଣରେ ୨୦୦୦ ଲୋକଙ୍କୁ ଏଥିରେ ସାମିଲ କରାଯିବ ବୋଲି କୁହାଯାଇଛି। Sputnikvaccine.com ଅନୁଯାୟୀ, ପ୍ରଥମ ଏବଂ ଦ୍ୱିତୀୟ ପରୀକ୍ଷା ଆଧାରରେ ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଗଷ୍ଟ ୧୧ରେ ଏହି ଟିକାକୁ ଅନୁମୋଦନ କରିଥିଲା। କିନ୍ତୁ ପୁଟିନ୍‌ କହିଛନ୍ତି ଯେ, ସମସ୍ତ ଟିକା ପରୀକ୍ଷା କରାଯାଇଛି।
ରୁଷିଆର କରୋନା ଟିକା ଅନ୍ୟ ଓଷଧ ସହିତ ପ୍ରତିକ୍ରିୟା ବିଷୟରେ ମଧ୍ୟ କୌଣସି ଅଧ୍ୟୟନ ହୋଇନାହିଁ। ରୁଷିଆର ଗାମେଲିଆ ଇନଷ୍ଟିଚ୍ୟୁଟ୍‌ କହିଛି ଯେ, ପିଲାମାନଙ୍କ ଉପରେ ଟିକା ପରୀକ୍ଷା କରିବା ପୂର୍ବରୁ ଅନେକ କାଗଜପତ୍ର ଆଇନଗତ ଭାବରେ ଦାଖଲ କରିବାକୁ ପଡ଼ିବ। ସେ କହିଛନ୍ତି, ପଞ୍ଜୀକରଣ ପରେ ବର୍ତ୍ତମାନ ଏହା ଆରମ୍ଭ କରାଯାଉଛି।

Share