ପୁଟିନ୍‌ଙ୍କ ଗିରଫ ପରଓ୍ବାନାକୁ ନେଇ ଚିନ୍ତାରେ ରୁଷିଆ

ମସ୍କୋ,୨୬ା୪ : ଯୁଦ୍ଧ ଅପରାଧ ଅଭିଯୋଗରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କ ବିରୋଧରେ ଅନ୍ତର୍ଜାତୀୟ ଫୌଜଦାରି କୋର୍ଟ (ଆଇସିସି) ଗତ ମାସରେ ଗିରଫ ପରଓ୍ବାନା ଜାରି କରିଥିବାରୁ ଦେଶର ବରିଷ୍ଠ ଅଧିକାରୀମାନେ ଭୟଭୀତ ଥିବା ଜଣାପଡ଼ିଛି। ଆଇସିସି ଆରେଷ୍ଟ ଓ୍ବାରେଣ୍ଟ ଜବାବରେ ରୁଷିଆ କ’ଣ ପଦକ୍ଷେପ ନେବ, ତାହା ଉପରେ ଆଲୋଚନା ଲାଗି କ୍ରେମ୍‌ଲିନ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ କରିଥିଲା ବୋଲି କେତେଜଣ ସରକାରୀ ଅଧିକାରୀ ତଥା ପୂର୍ବତନ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ଗତବର୍ଷ ଫେବୃୟାରୀରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ୧୪ ମାସ ହେଲା ସଂଘର୍ଷ ଲାଗିରହିଥିବାବେଳେ ପୁଟିନ୍‌ ବେଆଇନ ଭାବେ ୟୁକ୍ରେନ୍‌ରୁ ପିଲାମାନଙ୍କୁ ଅନ୍ୟ ଦେଶକୁ ନେଇଯାଇଥିବା ଅଭିଯୋଗ ହୋଇଛି। ଆଇସିସିର ଗିରଫ ପରଓ୍ବାନାକୁ ମସ୍କୋ ନିନ୍ଦା କରିଥିବାବେଳେ ଏହାର ସମ୍ଭାବ୍ୟ ରାଜନୈତିକ ପ୍ରଭାବକୁ ନେଇ ଚିନ୍ତାପ୍ରକଟ କରିଛି। ରୁଷିଆ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ଏହା ଏକ ଆହ୍ବାନ ବୋଲି ଶାସକ ୟୁନାଇଟେଡ୍‌ ରୁଷିଆ ପାର୍ଟିର ପାର୍ଲାମେଣ୍ଟାରି ଡେପୁଟି ଗଣମାଧ୍ୟମକୁ କହିଛନ୍ତି।

Share