ସ୍ପେସ୍‌ ଷ୍ଟେଶନ ପାର୍ଟନରଶିପ୍‌ରୁ ଓହରିବ ରୁଷିଆ

ମସ୍କୋ, ୨୭ା୭: ୟୁକ୍ରେନ ଯୁଦ୍ଧକୁ ନେଇ ମୁହଁାମୁହିଁ ହୋଇଥିବା ରୁଷିଆ ଓ ଆମେରିକା ମଧ୍ୟରେ ତିକ୍ତତା ଆଉପାଦେ ଆଗକୁ ବଢ଼ିଛି। ରୁଷିଆ ଓ ଆମେରିକା ଅନ୍ତର୍ଜାତୀୟ ସ୍ପେସ୍‌ଷ୍ଟେଶନ ପାଇଁ ମିଳିତ ଭାବେ କାମ କରୁଥିବାବେଳେ ୨୦୨୪ରେ ମସ୍କୋ ଏହି ସହଭାଗିତାରୁ ଓହରିଯିବ ବୋଲି ନିଷ୍ପତ୍ତି ନେଇଛି। ଏ ନେଇ ରୁଷୀୟ ସ୍ପେସ୍‌ ଏଜେନ୍ସି ରସ୍‌କୋମୋସ୍‌ ମହାନିର୍ଦ୍ଦେଶକ ୟୁରି ବୋରିସୋଭ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଜଣାଇଥିବା କ୍ରେମ୍‌ଲିନ୍‌ ପକ୍ଷରୁ ମଙ୍ଗଳବାର ଏକ ବିବୃତିରେ କୁହାଯାଇଛି। କିଛି ଦିନ ତଳେ ବୋରିସୋଭ୍‌ଙ୍କୁ ପୁଟିନ୍‌ ରୁଷୀୟ ସ୍ପେସ୍‌ ଏଜେନ୍ସିରେ ନିଯୁକ୍ତ କରିଥିଲେ। ପୃଥିବୀ କକ୍ଷପଥରେ ରୁଷିଆ ନିଜର ଅର୍ବିଟାଲ ଷ୍ଟେଶନ କରିବାକୁ ଲକ୍ଷ୍ୟ ଥିବା ବୋରିସୋଭ୍‌ କହିଛନ୍ତି। ତେବେ ମସ୍କୋ ପକ୍ଷରୁ ବିଧିବଦ୍ଧ ଭାବେ ଓ୍ବାଶିଂଟନ୍‌କୁ ଏ ନେଇ ଜଣାଯାଇ ନ ଥିବା ଆମେରିକା ସ୍ପେସ୍‌ ଏଜେନ୍ସି ନାସା ପକ୍ଷରୁ କୁହାଯାଇଛି।

Share